ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଆସିଛି ଏକ ବଡ଼ ଦୁର୍ଘଟଣାଜନିତ ଖବର । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ ଏକ କଣ୍ଟେନରକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୨୩ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଔରଙ୍ଗାବାଦର ଭାଇଜାପୁର ଅଞ୍ଚଳର ସମୃଦ୍ଧି ଏକ୍ସପ୍ରେସ ୱେରେ ଏହି ଅଘଟଣ ଘଟିଥିଲା । ରାତି ପାଖାପାଖି ୧୨.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ସୂଚନା ମୁତାବକ, ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବରୁ ଔରଙ୍ଗାବାଦ ଥିଲା) ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଥିଲା । ୩୫ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ ଦ୍ରୁତ ଗତିରେ ଯାଉଥିବା ସମୟରେ ତାହା ଅଚାନକ କଣ୍ଟେନରକୁ ଧକ୍କା ଦେଇଥିଲା । ମୁମ୍ବାଇଠାରୁ ପାଖାପାଖି ୩୫୦ କିମି ଦୂରରେ ଅବସ୍ଥିତ ଭାଇଜାପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ନାବାଳିକା ରହିଥିବା ଜଣାପଡ଼ିଛି । ଆହତ ହୋଇଥିବା ୨୩ ଜଣ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଏକ ସରକରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ବସଟିର ଅଧିକାଂଶ ଅଂଶ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଏକ ବଡ଼ ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ ଭିତରେ ରହିଥିବା ଯାତ୍ରୀମାନେ ପ୍ରାଣ ବିକଳରେ ଚିତ୍କାର କରୁଥିବା ଦେଖାଯାଇଥିଲା ।