fbpx

ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା: ପୋଲିସକୁ ମିଳିଲା ନୂଆ ସୁରାକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି । ସୌମ୍ୟଙ୍କ ମୃତ୍ୟୁକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ଏହି ଘଟଣା ରହସ୍ୟ ଘେରରେ ରହିଛି । ତେବେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଗତକାଲି ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ତାଲା ଖୋଲି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାଞ୍ଚ ସମୟରେ ସେଠାରେ ସୌମ୍ୟଙ୍କ ବାପା, ଭାଇ ଓ ଆଇନଜୀବୀ ପାର୍ଥସାରଥୀ ପ୍ରମୁଖ ଉପସ୍ଥିତ ରହି ପୋଲିସକୁ ସହଯୋଗ କରିଥିଲେ ।

ତେବେ ଶ୍ରୀ ନାୟକ ପୋଲିସକୁ ନିଜ ବୟାନରେ କହିଥିଲେ ଯେ, ସୌମ୍ୟ ଜଳିଯାଉଥିବାର ଦେଖି ତାଙ୍କର ପତ୍ନୀ ବିଦ୍ୟାଭାରତୀ ଚିତ୍କାର କରିବା ପରେ ଆଖପାଖର ଲୋକେ ଦୌଡ଼ି ଆସିଥିଲେ । ମାତ୍ର ଘର ମଧ୍ୟରେ କୌଣସି ଜାଗାରେ ଜଳାପୋଡ଼ାର ଚିହ୍ନ ବର୍ଣ୍ଣ ନାହିଁ । ଘରର କାନ୍ଥରେ ପୋଡ଼ା ଚିହ୍ନ ନଥିବା ବେଳେ ଛାତର ଅଳନ୍ଧୁ ମଧ୍ୟ ପୂର୍ବ କରି ରହିଛି । ପରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଜଣାପଡ଼ୁଛି, ଅନ୍ୟ କୌଣସି ସ୍ଥାନରେ ଏହି ଘଟଣା ଘଟାଯାଇଛି । ତେଣୁ ପୋଲିସ ଏନେଇ ଉପଯୁକ୍ତ ତଦନ୍ତ କରିବା ଦରକାର ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ସୌମ୍ୟଙ୍କ ବାପା ଅଭିରାମ କହିଛନ୍ତି ଯେ, ତାଙ୍କ ପୁଅକୁ ଚକ୍ରାନ୍ତ କରି ମାରି ଦିଆ ଯାଇଛି । ସୌମ୍ୟଙ୍କୁ ଅନ୍ୟ ସ୍ଥାନରେ ମର୍ଡର କରି ତାଙ୍କ କ୍ୱାର୍ଟରକୁ ଅଣାଯାଇଛି । ତାଙ୍କର ବୋହୂ, ରୋଷେୟା ଓ ଡିଏଫଓଙ୍କୁ ପଚରାଉଚରା କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି । ତେବେ ଅଭିରାମଙ୍କ ଅଭିଯୋଗକୁ ଭିତ୍ତିକରି ପାରଳାଖେମୁଣ୍ଡି ପୋଲିସ ଡିଏଫ୍ଓ, ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ ମାମଲା ଦାୟର କରିଛି । ସୌମ୍ୟଙ୍କ ପରିବାର ସଦସ୍ୟ, ଓକିଲଙ୍କ ସହ ପୋଲିସ ସାଇଣ୍ଟିଫିକ୍ ଟିମଙ୍କୁ ନେଇ ସରକାରୀ ବାସଭବନରେ ତଦନ୍ତ ଆରମ୍ଭ କରିଛି । ଏହାଛଡ଼ା ପୋଲିସକୁ ସୌମ୍ୟଙ୍କ କିଛି ହାତଲେଖା କାଗଜ ସହ ଏକ ଡାଏରୀ ମିଳିଛି । ଉକ୍ତ ଡାଏରୀରେ କ’ଣ ଲେଖା ହୋଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପଢ଼ିନାହିଁ । ତେବେ ଏହି ଘଟଣାରେ ଖୁବଶୀଘ୍ର ଡିଏଫଓଙ୍କୁ ଜେରା କରାଯିବ । ଏକ ଟିମ୍ ବିଦ୍ୟାଭାରତୀଙ୍କ ବାପ ଘର ମୟୂରଭଞ୍ଜର କପ୍ତିପଦାର ଗୌଡ଼ଗାଁକୁ ଯାଇପାରେ କିମ୍ବା ତାଙ୍କୁ ପାରଳାଖେମୁଣ୍ଡି ଡକାଯାଇପାରେ । ଯିଏ ଦୋଷୀ ସାବ୍ୟସ୍ତ ହେବ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.