ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ଦକ୍ଷିଣ ବାଂଲାଦେଶ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ଉତ୍ତର ଓଡ଼ିଶା ଓ ଉପକୂଳବର୍ତ୍ତୀ ଜିଲ୍ଳାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ଥିବାରୁ ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗର ସୂଚନାନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼,କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା ହେବ ।
ସେହିପରି ଗୁରୁବାର ଠାରୁ ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଅନୁଭୂତ ହେବ । ଏପରିକି ପାରଦ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତାତିର ମାତ୍ରା ୪୧ରୁ ୪୪ ଡିଗ୍ରୀ ଭିତରେ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ତେବେ ୫ରୁ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।