fbpx

ରଥଯାତ୍ରାରେ କାଳ ସାଜିଲା ବିଜୁଳି: ୨ ଜଣ ଆରପାରିରେ, ୧୫ ଜଣ ମେଡିକାଲରେ, ଜଣେ ମରଣ ସହ ଲଢ଼ୁଛି

ନୂଆଦିଲ୍ଲୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଗୋଟିଏ ପଟେ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ଦୁଃଖମୟ ପରିସ୍ଥିତି । ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରା ସମୟରେ କିଛି ଭକ୍ତଙ୍କ ଜୀବନର ଦୀପ ଲିଭିଯିବା ସହିତ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ, ଝାଡ଼ଖଣ୍ଡର ହଜାରିବାଗରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ହଜାରିବାଗର ସିଲବାର ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଅଚାନକ ବଜ୍ରପାତ ମାଡ଼ି ଆସିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୫ ଜଣ ଭକ୍ତ ଆହତ ହୋଇଥିଲେ । ଏଥିସହିତ ଜଣେ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟଜନକ ରହିଥିବା ବେଳେ ସେ ମେଡିକାଲରେ ମରଣ ସହ ଲଢ଼ୁଛନ୍ତି । ସମସ୍ତ ଆହତଙ୍କୁ ସିଲବାର ସଦର ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଆଜି ପୁରୀରେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ସମୟରେ ମରିଚିକୋଟ ଛକରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ଫଳରେ ଏକାଧିକ ଭକ୍ତ ଆହତ ହୋଇଥିଲେ । ଏହାପରେ ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଏଥିସହିତ ଢେଙ୍କାନାଳରେ ରଥଟଣା ସମୟରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଥିଲା । ସେହିପରି ଗୁଜରାଟର ଅହମ୍ମଦାବାଦଠାରେ ରଥଟଣା ଚାଲିଥିବା ସମୟରେ ଅଚାନକ ଏକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୧ ଜଣ ଭକ୍ତ ଆହତ ହୋଇଥିଲେ । ବାଲକୋନୀରେ କିଛି ଶିଶୁ ଓ ମହିଳା ଛିଡ଼ା ହୋଇ ରଥଟଣା ଦେଖୁଥିବା ସମୟରେ ଅଚାନକ କାନ୍ଥ ଭୁଶୁଡ଼ି ପଡ଼ିବ ବୋଲି କେହି ବି ଭାବିନଥିଲେ ।

Get real time updates directly on you device, subscribe now.