fbpx

ମାର୍ଚ୍ଚ ୧୪ରେ ହେବ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି: ସୂଚନା

ଓଡ଼ିଶା ଭାସ୍କର: ଆସନ୍ତା ମାର୍ଚ୍ଚ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କମିଟି ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କରେ ବୈଠକ କରିପାରନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ରବିବାର (ମାର୍ଚ୍ଚ ୧୦) ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୧୫ ସୁଦ୍ଧା ଦୁଇଜଣ ନିର୍ବାଚନ କମିଶନର ନିଯୁକ୍ତ ହେବାର ସମ୍ଭାବନା ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚୟନ କମିଟିର ସୁପାରିଶ ଆଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବେ ବୋଲି ସୂଚନା ରହିଛି।

ସୂଚନା ଥାଉକି, ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି। ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ୟ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା। ଅନ୍ୟପଟେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ହୋଇଥିଲା। ଫଳରେ ଗୋଟିଏ ପଦବୀ ଖାଲି ରହିଥିଲା। କିନ୍ତୁ ଗତକାଲି ଅରୁଣ ଗୋଏଲ ଇସ୍ତଫା ଦେବା ପରେ ବର୍ତ୍ତମାନ ୨ ପଦବୀ ଖାଲି ପଡିଛି। ତେଣୁ ଖାଲି ପଡିଥିବା ଏହି ପଦବୀ ପାଇଁ ୨ ଜଣ ନୂଆ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରାଯିବ।

ଏଠାରେ କହି ରଖୁ ଯେ, ଲୋକସଭା ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଶନିବାର ଦିନ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ଏବଂ ତାଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ତେବେ ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ପୂର୍ବରୁ ଅର୍ଥାତ ଶନିବାର ଦିନ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି।

 

Get real time updates directly on you device, subscribe now.