ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ପିଲା ସାଙ୍ଗ ହୋଇ ଏକାଠି ଗାଧୋଇବାର ମଜା ଉଠାଇଥାନ୍ତି । ତେବେ ନଦୀ ହେଉ କି ସମୁଦ୍ର ଅନେକ ସମୟରେ ଏହି ଖୁସି ଦୁଃଖ ଆଣିଦେଇଥାଏ । କେତେବେଳେ ଅଚାନକ ଜୁଆର ମାଡ଼ି ଆସେ ତ ଆଉ କେତେବେଳେ ପହଁରା ଶିଖି ନଥିବା କାରଣରୁ ଅକାଳରେ ଅନେକଙ୍କର ଜୀବନ ଚାଲିଯାଇଥାଏ ।
ତେବେ ଏହା ମଧ୍ୟରେ ରାଜଧାନୀ ଉପକଣ୍ଠରୁ ଆସିଛି ଏକ ଦୁଃଖ ଖବର । କୂଆଖାଇ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ମୃତକ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟା ୭ଟା ସମୟରେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ତେବେ ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ଦୁଇ ଛାତ୍ରଙ୍କୁ ବହୁ ସମୟ ଧରି ଖୋଜାଖୋଜି କରିଥିଲେ । ଶେଷରେ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ତେବେ ଦୁଇ ମୃତକ ଛାତ୍ର ରାଜଧାନୀର ତମାଣ୍ଡୋ ଓ ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁଇଜଣ ଛାତ୍ର ସେମାନଙ୍କର ସାଙ୍ଗସାଥୀଙ୍କ ସହିତ ଅପରାହ୍ଣରେ ନଦୀକୁ ଗାଧୋଇବାକୁ ଯାଇ ହଠାତ୍ ନିଖୋଜ ହୋଇଯାଇଥିଲେ । ସୂଚନାଯୋଗ୍ୟ ଯେ, ଅନେକ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଖବର ଦେଖିବାକୁ ମିଳିଥାଏ । ପହଁରା ନଶିଖି ନଦୀକୁ ଗାଧୋଇବାକୁ ଯିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଥାଏ । ପୂର୍ବରୁ ରାଜଧାନୀ ନିକଟସ୍ଥ କୂଆଖାଇ କାଠଯୋଡ଼ି ନଦୀରେ ଏଭଳି ଭଳି ଘଟଣା ଦେଖିବାକୁ ମିଳିଥିଲା ।