fbpx

ବଡ଼ଧରଣର ହିମସ୍ଖଳନ: ୧୦ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଇସଲାମାବାଦ: ପାକିସ୍ତାନର ଗିଲ୍ଗିଟ-ବାଲ୍ଟିସ୍ତାନ ଅଞ୍ଚଳରେ ହିମସ୍ଖଳନ ହେତୁ ୩ ଜଣ ମହିଳାଙ୍କ ସମେତ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ, ପାହାଡ ଅଞ୍ଚଳର ଆଷ୍ଟୋର ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣାରେ ୨୫ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ସେନା କର୍ମଚାରୀମାନେ ଏହି ଅଭିଯାନରେ ଯୋଗ ଦେଇଛନ୍ତି। ଆହତମାନେ ଆଷ୍ଟୋର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଯେଉଁଠାରେ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଉଦ୍ଧାର ଅଧିକାରୀମାନେ କହିଛନ୍ତି ଯେ, ଗୁରୁଜାର ପରିବାରର ୨୫ ଜଣ ଲୋକ ପାକିସ୍ତାନ ଅକ୍ତିଆର ହୋଇଥିବା କାଶ୍ମୀରରୁ ଆଷ୍ଟୋର ଅଭିମୁଖେ ଯାଉଥିଲେ ଯେତେବେଳେ ସେମାନେ ହିମସ୍ଖଳନରେ ଫଶିଯାଇଥିଲେ ।

ଏଥି ସହିତ, ଡାଇମର୍-ଆଷ୍ଟୋର ଅଞ୍ଚଳର ପୋଲିସର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ତୁଫାଇଲ୍ ମିର କହିଛନ୍ତି ଯେ, ଏହି ଅଞ୍ଚଳ ବହୁତ ଦୂର ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନୀ ସେନାର ଉତ୍ତର ସେକ୍ଟର ଫୋର୍ସ କମାଣ୍ଡର ଏକ ଦଳ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର, ରିଲିଫ ସାମଗ୍ରୀ ଏବଂ ଚିକିତ୍ସା ସହାୟତା ଯୋଗାଇ ଦେଇଛନ୍ତି। କିନ୍ତୁ ଖରାପ ପାଗ ହେତୁ ଏହାକୁ ପଠାଯାଇ ପାରି ନାହିଁ।

ଅଧିକାରୀ କହିଛନ୍ତି ଯେ, ପୁରା ଉଦ୍ଧାର କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ଏହା ସହିତ ଆଷ୍ଟୋର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଏବଂ ସ୍କାର୍ଡୁ ମିଲିଟାରୀ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ମୁଖ୍ୟ ଶାସନ ସଚିବ ମୋହିଉଦ୍ଦିନ ୱାନି କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବାରୁ ଗଭୀର ଦୁଃଖ ପ୍ରକାଶ କରି ଗିଲ୍ଗିଟ-ବାଲ୍ଟିସ୍ତାନ ମୁଖ୍ୟମନ୍ତ୍ରୀ ଖାଲିଦ ଖୁର୍ସିଦ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଆଭ୍ୟନ୍ତରୀଣ ସଚିବ ତଥା ଗିଲ୍ଗିଟ୍-ବାଲ୍ଟିସ୍ତାନ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମହାନିର୍ଦ୍ଦେଶକ ତଥା ଅନ୍ୟ ଅଧିକାରୀଙ୍କୁ ତୁରନ୍ତ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ଟୁଇଟରେ ଏହି ହିମସ୍ଖଳନରେ ପ୍ରାଣ ହରାଇଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାକିସ୍ତାନରେ ଏଭଳି ଘଟଣା ବହୁତ ବୃଦ୍ଧି ପାଇଛି। ପାକିସ୍ତାନ ଭଳି ବିକାଶଶୀଳ ଦେଶକୁ ଏଭଳି ଘଟଣାରୁ ରକ୍ଷା କରିବା ପାଇଁ ସମଗ୍ର ବିଶ୍ୱକୁ ନିଜର ଦାୟିତ୍ୱ ପୂରଣ କରିବାକୁ ପଡ଼ିବ।

Get real time updates directly on you device, subscribe now.