fbpx

ଦୁଇ ଜଣ ନେତାଙ୍କୁ ବିଜେଡିରୁ ସସପେଣ୍ଡ କଲେ ନବୀନ: ବିଜ୍ଞପ୍ତି ଜାରି କଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏନେଇ ରାଜ୍ୟ ରାଜନୀତି ଏବେଠାରୁ ଧୀରେଧୀରେ ଚଳଚଞ୍ଚଳ ହେବା ଆରମ୍ଭ କଲାଣି । ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଗତ କିଛି ମାସ ହେଲା ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରୁଥିବାର ଦେଖାଯାଉଛି ।

ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଜେଡି ରଣନୀତି ଚୂଡ଼ାନ୍ତ କରିସାରିଛି । ସେଥିପାଇଁ ଦଳ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟର ସଂଗଠନକୁ ପୁନର୍ଗଠନ କରୁଥିବା ଦେଖାଯାଉଛି । ନିକଟରେ ବିଭିନ୍ନ ଜିଲ୍ଲାରେ ବିଜେଡି ସଂଗଠନକୁ ପୁନର୍ଗଠନ କରାଯିବା ସହିତ ନୂଆ ନେତାଙ୍କ ନାମ ଘୋଷଣା କରାଯାଇଥିଲା ।

ତେବେ ନବୀନ ସର୍ବଦା ସ୍ୱଚ୍ଛ ଶାସନକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଏହାର ବ୍ୟତିକ୍ରମ କାରଣରୁ ଅତୀତରେ ବହୁ ନେତାଙ୍କ ବିରୋଧରେ ନବୀନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ପୁଣି ଦୁଇଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ବିଜୁ ଯୁବ ଜନତା ଦଳର ଉପସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ ଓ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ନିର୍ବାଚନ ମଣ୍ଡଳୀ ସଭାପତି ଅଜିତ ପ୍ରସାଦ ଦ୍ୱିବେଦୀଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

Get real time updates directly on you device, subscribe now.