fbpx

ସୋନୁ ସୁଦଙ୍କୁ ସାହାଯ୍ୟ ଯୋଗାଇଲେ ଦୁଇ ଶିଶୁକନ୍ୟା, ଜାଣନ୍ତୁ କଣ କହିଲେ ଅଭିନେତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକଟ ଆରମ୍ଭ କାଳରୁ ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ସାହାଯ୍ୟ ମାଗୁଥିବା କୌଣସି ଲୋକଙ୍କ ସେ ନିରାଶ କରିନାହାନ୍ତି । ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହିବା ସହ ନିଜ ଫାଉଣ୍ଡେସନ୍ ଜରିଆରେ ସାରା ଦେଶକୁ ସହାୟତାର ହାତ ବଢ଼ାଉଛନ୍ତି ସୋନୁ । ନିକଟରେ ତେଲଙ୍ଗାନାରେ ଜଣେ ବ୍ୟକ୍ତି ସୋନୁଙ୍କ ନାଁରେ ମଟନ୍ ଦୋକାନ କରିବାକୁ ନେଇ ବଡ଼ ଚର୍ଚ୍ଚା ହୋଇଥିଲା । ଏହା ଜାଣିବା ପରେ ସୋନୁ ଟ୍ୱିଟ୍ କରି କହିଥିଲେ କି- ମୁଁ ଶାକାହାରୀ, ମୋ ନାଁରେ ପୁଣି ମଟନ ଶପ୍! ସେ ଆଶ୍ଚର୍ଯ୍ୟ ହୋଇଥିଲେ କଥାଟି ଖୁବ୍ ଭାଇରାଲ୍ ହୋଇଥିଲା । ଠିକ୍ ସେହିପରି ଆଉଏକ ଘଟଣା ସମ୍ପ୍ରତି ଚର୍ଚ୍ଚାର ପରିସରକୁ ଆସିଛି । ତେବେ ଏହି ଘଟଣାରେ ସୋନୁଙ୍କ ସମାଜସେବା ଯାତ୍ରାରେ ସହଯୋଗର ହାତ ବଢ଼ାଇଛନ୍ତି ଦୁଇ ଶିଶୁ କନ୍ୟା । ଯାହା ଜାଣିଲେ ଆପଣ ବି ପିଲା ଦୁହିଁଙ୍କୁ ପ୍ରଶଂସା ନକରି ରହିପାରିବେନି ।

ଘଟଣା ଅନୁସାରେ, ମାହୀ ଓ ପ୍ରଥା ଯଥାକ୍ରମେ ଚତୁର୍ଥ ଓ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । କଅଁଳ ମନ ଆଉ ବୁଲି ଖେଳିବାର ବୟସ । କିନ୍ତୁ ସେମାନେ ବୁଝିପାରିଛନ୍ତି ଦେଶର ସଂକଟ ପରିସ୍ଥିତି ଏବଂ ଜାଣିପାରିଛନ୍ତି ସାହାଯ୍ୟର ମୁଲ । ବୁଝିପାରିଛନ୍ତି ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କୁ । ଆଉ ଏଥିପାଇଁ ଦୁହେଁ ନିଜର ପିଗ୍ଗି ବ୍ୟାଙ୍କ (କୁମ୍ପି) ଭାଙ୍ଗି ସଞ୍ଚିତ ୧୬ ହଜାର ୫୩୦ ଟଙ୍କା ସୋନୁ ସୁଦଙ୍କ ଫାଉଣ୍ଡେସନ୍ ଆକାଉଣ୍ଟରେ ପଠାଇ ଦେଇଛନ୍ତି । ଦୁଇ ଶିଶୁକନ୍ୟା ବିଗତ ୩ ବର୍ଷ ଧରି ନିଜ ପକେଟ୍ ମନି (ଚକୋଲେଟ୍ ଖାଇବା ଭଳି ଖର୍ଚ୍ଚ) ସଞ୍ଚିତ ରଖିଥିବାକୁ ଦେଶସେବା ପାଇଁ ଉତ୍ସର୍ଗ କରିଥିବା ଖବର ସମ୍ପ୍ରତି ସାରା ଦେଶ ପାଇଁ ଏକ ସୁନ୍ଦର ବାର୍ତ୍ତା ପହଞ୍ଚାଇ ଦେଇଛି । ଯିଏ ଶୁଣୁଛି ଜାଣୁଛି, ସେ କହୁଛି- ଅସଲ କନ୍ୟାରତ୍ନ ହେଉଛନ୍ତି ଏହି ଦୁଇଜଣ । ଆଉ କିଏ କହୁଛି- ଝିଅ ହେବ ତ ଏମିତି…

ଦଶ ବର୍ଷୀୟା ମାହୀ ଓ ୬ ବର୍ଷୀୟା ପ୍ରଥାଙ୍କ ଏଭଳି ଦେଶସେବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ସୋନୁ ସୁଦ୍ । ଆଉ ଟ୍ୱିଟ୍ କରି କହିଛନ୍ତି ଯେ- ଭେଟନ୍ତୁ ଦୁନିଆର ଏହି ଦୁଇ ଧନୀ ପିଲାଙ୍କୁ, ଦୁନିଆର ସବୁଠୁ ବଡ଼ ବ୍ୟାଙ୍କ୍… ଏଥିସହ ସୋନୁ ଉଲ୍ଲେଖ କରିଛନ୍ତି ଯେ- ଆପଣମାନଙ୍କ ମାତା-ପିତାଙ୍କୁ ପ୍ରଣାମ । ଆପଣଙ୍କ ଭଳି ଯୋଗ୍ୟ ସନ୍ତାନ ସାରା ଦେଶକୁ ବଦଳାଇ ଦେଇପାରିବେ ।

ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନର ଜାଲୋର୍ ଜିଲ୍ଲା ସାଚୌର୍ ସହରର ଏହି ଦୁଇ ଶିଶୁକନ୍ୟା । ଯୋଗେଶ ଯୋଶୀଙ୍କ ଏହି ଦୁଇ ଶିଶୁକନ୍ୟା ମାହୀ ଓ ପ୍ରଥାଙ୍କୁ ଦେଶର ସବୁଆଡୁ ଛୁଟୁଛି ପ୍ରଶଂସା । ଆଉ ସବୁରି ମୁହଁରେ ସାଲ୍ୟୁଟ୍ ।

 

Get real time updates directly on you device, subscribe now.