fbpx
BJD SKY
BJD SKY

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ୍ ପାଇଁ ନେତାମାନେ ପହଞ୍ଚିଲେ ଦିଲ୍ଲୀରେ, ଓଡ଼ିଶାରୁ ଦୁଇ ସାଂସଦଙ୍କ ନାମ ଚର୍ଚ୍ଚାରେ

BJD

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ । ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବାର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଏହି ଅବସରରେ ମୋଦିଙ୍କ ନୂଆ ଟିମରେ ସ୍ଥାନ ପାଇବାକୁ ଥିବା ନେତାମାନେ ଦିଲ୍ଲୀ ଗସ୍ତ କରିବାରେ ଲାଗିଛନ୍ତି । ଆଜି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ ବୋଲି ଜଣାପଡ଼ିଛି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ୨୦୨୨ରେ ହେବାକୁ ଥିବା ୫ ରାଜ୍ୟ ବିଧାନସଭାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ଗଠନ କରାଯିବ । ସେଥିପାଇଁ ଫୋକସରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ବିହାରକୁ ରଖାଯାଇଥିବା ଜଣାପଡ଼ିଛି । ବିଶେଷ କ୍ଷେତ୍ରରେ ସ୍ୱତନ୍ତ୍ର ଦକ୍ଷତାଧାରୀ କିଛି ସାଂସଦ ଓ ସହଯୋଗୀ ଦଳ ସ୍ଥାନ ପାଇ ପାଇପାରନ୍ତି । ପଛୁଆ ବର୍ଗ, ମହିଳା ଓ ଯୁବବର୍ଗଙ୍କ ନାମ ବି ଚର୍ଚ୍ଚାରେ ରହିଛି । ମଧ୍ୟପ୍ରଦେଶରେ କଂଗ୍ରେସରୁ ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦିଲ୍ଲୀରେ ଡେରା ପକାଇବା ସହ ନୂଆ କୁର୍ତ୍ତା କିଣି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ତେଣୁ ତାଙ୍କୁ ନିଶ୍ଚିତ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସ୍ପଷ୍ଟ ହୋଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ଲୋକସଭା ସାଂସଦ ଜୁଏଲ ଓରାମଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି ।

ମନ୍ତ୍ରିମଣ୍ଡଳରେ ମୋଟ ୮୧ ଜଣ ମନ୍ତ୍ରି ରହିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୫୩ ଜଣ ରହିଛନ୍ତି । ତେଣୁ ଅବଶିଷ୍ଟ ୨୮ ଜଣଙ୍କୁ ମୋଦି ଚାହିଁଥିଲେ ସ୍ଥାନ ଦେଇପାରିବେ । ଗତକାଲି ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟମାନେ ମନ୍ତ୍ରିମଣ୍ଡଳର ଅଦଳବଦଳ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି । ତେବେ ୨୦ରୁ ଅଧିକ ନୂଆ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି । ତେବେ ମନ୍ତ୍ରୀ ପଦ ପାଇବାର ମାପକାଠି କ’ଣ ହୋଇପାରେ ବୋଲି ବର୍ତ୍ତମାନ ସମସ୍ତ ନେତାଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । ପୂର୍ବ ନିର୍ବାଚନରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ନେତାମାନଙ୍କୁ ମୋଦି ପ୍ରାଥମିକତା ଦେଇପାରନ୍ତି । ଏହାଛଡ଼ା ପ୍ରଶାସନରେ ଅଭିଜ୍ଞତା ଓ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଚେହେରାଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.