fbpx

ଅମିତାଭ ବଚ୍ଚନଙ୍କ ବଙ୍ଗଳା ସହ ୪ ଜାଗାରେ ବୋମା ରଖିଥିବା ଧମକ ଦେଇ ୨ ଗିରଫ, ପୋଲିସ ପ୍ରଶ୍ନରେ ଦେଲେ ଏପରି ଉତ୍ତର

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ସମେତ ମୁମ୍ବାଇର ୩ଟି ପ୍ରମୁଖ ରେଳ ଷ୍ଟେସନରେ ବୋମାମାଡର ଧମକ ମିଳିବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି , ସେମାନଙ୍କ ମଧ୍ୟରୁ ଜଣଙ୍କର ନାଁ ରାଜୁ କାଙ୍ଗଣେ ହୋଇଥିବା ବେଳେ ଅନ୍ୟ ଜଣଙ୍କର ନାଁ ରମେଶ ଶିରସାଟ୍ । ପଚରାଉଚରା ପରେ ଜଣାପଡିଛି ଯେ, ଦୁହେଁ ଗତକାଲି ସନ୍ଧ୍ୟାରେ ମୁମ୍ବାଇ କଲ୍ୟାଣରେ ପାର୍ଟି କରୁଥିଲେ । ନିଶାଗ୍ରସ୍ତ ଅବସ୍ଥାରେ ଦୁହେଁ ପୋଲିସକୁ ଫୋନ୍ କରି ୪ଟି ଜାଗାକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ।

ପୋଲିସ ଯେତେବେଳେ ସେହି ନମ୍ବରକୁ କଲ୍ କଲା ତ ସେମାନେ ମୋବାଇଲ ବନ୍ଦ କରିଦେଲେ । ସୂତ୍ରରୁ ମିଳିଥିବା ଖବର ମୁତାବକ, ଦୁହେଁ ମଦ୍ୟପାନ କରିବା ପରେ ନିଶରେ ଆସି ହକ୍ସ କଲ୍ କରିଥିଲେ । ଗିରଫ ପରେ ପୋଲିସ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ‘ ମୁମ୍ବାଇ କ୍ରାଇମ ବ୍ରାଞ୍ଚର କ୍ରାଇମ ଇଣ୍ଟେଲିଜେନ୍ସି ୟୁନିଟ୍ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ହକ୍ସ ସମ୍ବନ୍ଧିତ ପଚରାଉଚରା ଜାରି ରଖିଛି ।

ତେବେ ଗତକାଲି ବିଳମ୍ବିତ ରାତିରେ ପୋଲିସର ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୦୦କୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା, ଯେଉଁଥିରେ ମୁମ୍ବାଇର ୪ଟି ଭିନ୍ନ ଭିନ୍ନ ସ୍ଥାନରେ ବୋମାମାଡ ହେବାର ସୂଚନା ଦିଆଯାଇଥିଲା । ସେଥିରେ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ସହ ୩ଟି ପ୍ରମୁଖ ରେଳ ଷ୍ଟେସନରେ ବୋମାଥିବାର ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (ସିଏସଏମଟି), ବାଇକୁଲ୍ଲା, ଦାଦର ରେଳ ଷ୍ଟେସନ ତଥା ଜୁହୁର ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ଲଗାଯାଇଥିବା କୁହାଯାଇଥିଲା । କିନ୍ତୁ ଛାନଭିନ୍ ପରେ ସେଠାରୁ କୌଣସି ବୋମା ମିଳିନଥିଲା ।

Get real time updates directly on you device, subscribe now.