fbpx

ଆମେରିକୀୟ ବିଶେଷଜ୍ଞଙ୍କ ଚେତାବନୀ: ଭବିଷ୍ୟତରେ ଦେଖାଦେବ କରୋନା ମହାମାରୀର ଅନେକ ରୂପ, କୋଭିଡ୍‌-୨୬ ଓ କୋଭିଡ୍‌-୩୨କୁ ପୁଣି ସାମ୍ନା କରିବାକୁ ପଡିବ ପାରେ…

Advertisement

ୱାସିଂଟନ୍‌,(ଓଡ଼ିଶା ଭାସ୍କର): କୋଭିଡ୍‌-୧୯ର ଉତ୍ପତ୍ତି ଜାଣିବାକୁ ଚୀନ୍‌ର ସହଯୋଗ ଏବେ ସମଗ୍ର ବିଶ୍ୱ ପାଇଁ ଜରୁରି ହୋଇପଡ଼ିଛି । ଏପରି ହେଲେ କୋଭିଡ୍‌ରଉତ୍ପତ୍ତି ସମ୍ପର୍କରେ ସୂଚନା ମିଳିପାରିବ ଏବଂ ଭବିଷ୍ୟତର ମହମାରୀ ସଂକ୍ରମଣ ଭୟକୁ ରୋକାଯାଇପାରିବ । ଆମେରିକାର ଦୁଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏପରି ଦାବି କରିଛନ୍ତି । ନଚେତ୍‌ ସ୍ଥିତି ସାଂଘାତିକ ହୋଇଯିବ ଏବଂ ଭବିଷ୍ୟତରେ କରୋନା ମହାମାରୀର ଅନେକ ରୂପ ଯେପରିକି କୋଭିଡ୍‌-୨୬ ଓ କୋଭିଡ୍‌-୩୨କୁ ପୁଣି ସାମ୍ନା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଚୀନ୍‌ର ଉହାନ୍‌ସ୍ଥିତ ଲାବ୍‌ରୁ କରୋନାର ଉତ୍ପତ୍ତି ହୋଇଥିବା ନେଇ ଚର୍ଚ୍ଚା ମଧ୍ୟରେ ଆମେରିକାର ଏହି ୨ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏପରି ଚେତାବନୀ ସମସ୍ତଙ୍କୁ ଭୟଭୀତ କରି କାଇଛି ।

 

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରେ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟେସନ୍‌ କମିଶନର ତଥା ବର୍ତ୍ତମାନ କରୋନା ଟିକା ଉତ୍ପାଦନକାରୀ ସଂସ୍ଥା ଫାଇଜର ବୋର୍ଡରେ ଥିବା ସ୍କୋଟ୍‌ ଗୋଟ୍ଟ୍‌ଲିବ୍‌ ଏପରି ଚେତାବନୀ ଦେବା ସହ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଚୀନ୍‌ ନିଜ ଦେଶରୁ କରୋନାର ଉତ୍ପତ୍ତି ହୋଇଥିବା ସମ୍ପର୍କରେ ଆରମ୍ଭ ହୋଇଥିବା ତଦନ୍ତରେ କୌଣସି ସହଯୋଗ କରୁନାହିଁ  କିମ୍ବା ଚୀନ୍‌ରୁ କରୋନାର ଉତ୍ପତ୍ତି ହୋଇନଥିବା ନେଇ ପ୍ରମାଣ ଦେଉ ନାହିଁ । କରୋନାର ଉତ୍ପତି ସମ୍ପର୍କରେ ନଜାଣିବା ବିଶ୍ୱ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ସେ କହିଛନ୍ତି ।

ସେହିପରି ଟେକ୍ସାସ୍‌ ଚିଲ୍ଡ୍ରେନ୍‌ ହସ୍ପିଟାଲ ସେଣ୍ଟର ଫର୍‌ ଭାକ୍ସିନ୍‌ ଡେଭଲପ୍‌ମେଣ୍ଟର ସହ ନିର୍ଦ୍ଦେଶକ ପିଟର ହୋଟେଜ୍‌ କହିଛନ୍ତି ଯେ,କରୋନାର ଉତ୍ପତ୍ତି ସମ୍ପର୍କରେସମ୍ପୂର୍ଣ୍ଣ ଭାବେ ନଜାଣି ପାରିଲେ ଏହି ମହାମାରୀ ଭବିଷ୍ୟତରେ କୋଭିଡ୍‌- ୨୬ ଓ କୋଭିଡ୍‌-୩୨ର ଭୟ ସୃଷ୍ଟି କରିବାର ଅନେକ ସମ୍ଭାବନା ରହିଛି । ଆମେରିକାର ଏକ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ୨ ବିଶେଷଜ୍ଞ ଏପରି ମତ ରଖିଛନ୍ତି ।

ଚୀନ୍‌ର ଉହାନ୍‌ସ୍ଥିତ ଏକ ସି-ଫୁଡ୍‌ ମାର୍କେଟ୍‌ରେ ପ୍ରଥମେ କରୋନା ଦେଖିବାକୁ ମିଳିଥିଲା ।ତେବେ ସେଠାରୁ କରୋନାର ଉତ୍ପତ୍ତି ହୋଇଥିବା କୁହାଯାଉଥିଲେ ମଧ୍ୟ ଚୀନ୍‌ ବାରମ୍ବାର ଏପରି ଦାବିକୁ ଟାଳି ଆସୁଛି ଏବଂ ତଦନ୍ତରେ କୌଣସି ସହଯୋଗ କରୁନାହିଁ । ଉହାନ୍‌ର ଏକ ରିସର୍ଚ୍ଚ ଲାବ୍‌ରୁ କରୋନା ବ୍ୟାପିଥାଇ ପାରେ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ଏଦିଗରେ ଚୀନ୍‌ ସହଯୋଗ କଲେ କରୋନାର ଉତ୍ପତ୍ତି ସମ୍ପର୍କରେ ସଠିକ୍‌ ସୂଚନା ମିଳିାରନ୍ତା ଏବଂ କରୋନାର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ହୋଇପାରନ୍ତା ବୋଲି ଆମେରିକାର ଏହି ୨ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି ।

ପ୍ରକାଶଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣ ସ୍ଥିତିକୁ ନେଇ ଚୀନ୍‌ ବିରୋଧରେ କଠୋର ଆଭିମୁଖ୍ୟ ପ୍ରତିପୋଷଣ କରୁଥିଲେ। କିନ୍ତୁ ଏହାପରେ ଆମେରିକା ରାଷ୍ଟ୍ରପତି ହୋଇଥିବା ଜୋ ବାଇଡେନ୍‌ କରୋନା ସଂକ୍ରମଣ ପ୍ରସଙ୍ଗକୁ ନେଇ ଚୀନ୍‌ଉପରେ ସାମାନ୍ୟ କୋହଳ ଆଭିମୁଖ୍ୟ ଦେଖାଉଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଗତ ବୁଧବାର ହଠାତ୍‌ କରୋନା ଭାଇରସ୍‌ର ଉତ୍ପତ୍ତି ପ୍ରସଙ୍ଗରେ କଠୋର ହୋଇ ଚୀନ୍‌ ବିରୋଧରେ ତଦନ୍ତକୁ ପୁନଃ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି କରୋନା ଉତ୍ପତି ନେଇ ତଦନ୍ତଜନିତ ପରିଶ୍ରମକୁ ଦ୍ୱିଗୁଣିତ କରି ୯୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ତାଙ୍କ ସାମ୍ନାରେ ରଖିବାକୁ ଜୋ ବାଇଡେନ୍‌ ତଦନ୍ତକାରୀ
ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆମେରିକାର ପ୍ରତିଷ୍ଠିତ ଖବରକାଗଜ “ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ରେ ଗତ ୨୩ ତାରିଖରେ ପ୍ରକାଶିତ ଖବରରେ ଦର୍ଶାଯାଇଥିଲା ଯେ, ୨୦୧୯ ନଭେମ୍ବର ମାସରେ ଚୀନ୍‌ର ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ୩ଜଣ ଗବେଷକ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ହସ୍ପିଟାଲ ନିଆଗଲା ପରେ ସେମାନଙ୍କ ଠାରେ କୋଭିଡ୍‌ -୧୯ର ଲକ୍ଷଣ ଦେଖାଦେଇଥିଲା । ତେଣୁ ପିଟର ହୋଟେଜ୍‌ କହିଛନ୍ତି ଯେ,କରୋନାର ଉତ୍ପତ୍ତି ସମ୍ପର୍କରେ ଜାଣିବାକୁ ହେଲେ ରିସର୍ଚ୍ଚରମାନଙ୍କୁ ଚୀନ୍‌ ସହଯୋଗ କରିବା ନିହାତି ଜରୁରି ଏବଂ ରିସର୍ଚ୍ଚରଙ୍କୁ ଚୀନ୍‌ରେ ଅଧିକ ସମୟ ରହି ତଦନ୍ତ କରିବାକୁ ପଡ଼ିବ । ଏହି ତଦନ୍ତ ଅବଧି ମଧ୍ୟରେ ରିସର୍ଚ୍ଚରମାନଙ୍କୁ ଉଭୟ ମନୁଷ୍ୟ ଓ ଜୀବଜନ୍ତୁଙ୍କ ବ୍ଲଡ୍‌ ସାମ୍ପୁଲ୍‌ ପରୀକ୍ଷା କରିବାକୁ ପଡ଼ିବ । ଚୀନ୍‌ ଯଦି ଏପରି ତଦନ୍ତରେ ସହଯୋଗ ନକରେ ତେବେ ଚୀନ୍‌ ଉପରେ ଆମେରିକା ଓ ବିଶ୍ୱ ସମୁଦାୟ ଚାପ ପକାଇବା ନିହାତି ଜରୁରି ବୋଲି ପିଟର ହୋଟେଜ୍‌ କହିଛନ୍ତି ।

ଜୋ ବିଡେନ୍‌ଙ୍କ ତଦନ୍ତ ନିର୍ଦ୍ଦେଶକୁ ଚୀନ୍‌ ପ୍ରଶାସନ ସହଯୋଗ କରୁନାହାଁନ୍ତି।ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତ ବୁଧବାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଗୁରୁବାର ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହାଓ ଲିଜାନ୍‌ ଏହି ତଦନ୍ତ ନିର୍ଦ୍ଦେଶକୁ ଆମେରିକାର ଚକ୍ରାନ୍ତ ବୋଲି କହିଥିଲେ । ତେଣୁ ବିଶ୍ୱ ସମୁଦାୟର ଚାପ ବିନା ଚୀନ୍‌ ସହଜରେ ଆମେରିକାର ତଦନ୍ତ ନିର୍ଦ୍ଦେଶକୁ ସମର୍ଥନ କରିବା ଭଳି ଲାଗୁନାହିଁ ।

Get real time updates directly on you device, subscribe now.