fbpx

ଠକ ଧର୍ମଗୁରୁ ନିତ୍ୟାନନ୍ଦଙ୍କୁ ଲାଗିଲା ବଡ଼ ଝଟକା: ମହଙ୍ଗା ପଡ଼ିଲା ଭାରତ ବିରୋଧୀ ମନ୍ତବ୍ୟ, UN ଜାରି କଲା ବୟାନ

ନୂଆଦିଲ୍ଲୀ: ବିହୁ ବିବାଦରେ ସମ୍ପୃକ୍ତ ଥିବା ଧର୍ମଗୁରୁ ନିତ୍ୟାନନ୍ଦଙ୍କୁ ନେଇଛି ଆସିଛି ଏକ ବଡ଼ ଅପଡେଟ୍ । ନିକଟରେ ନିତ୍ୟାନନ୍ଦଙ୍କ ଦ୍ୱାରା ସ୍ଥାପିତ କାଳ୍ପନିକ ଦେଶ ‘କୈଳାସ’ର ଜଣେ ପ୍ରତିନିଧି ମିଳିତ ଜାତିସଂଘର ଏକ ବୈଠକରେ ଯୋଗ ଦେଇଥିଲେ । ଗତ ମାସ ୨୨ ତାରିଖରେ ମା’ ବିଜୟାପ୍ରିୟା ନିତ୍ୟାନନ୍ଦ ୧୯ତମ ୟୁଏନ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ବୈଠକ (ସିଇଏସଆର)ରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ ।

‘କୈଳାସ’ର ସ୍ଥାୟୀ ରାଷ୍ଟ୍ରଦୂତ ବିଜୟାପ୍ରିୟା ଉକ୍ତ ବୈଠକରେ ନିତ୍ୟାନନ୍ଦଙ୍କୁ ଖୁବ୍ ପ୍ରଶଂସା କରିଥିବା ବେଳେ ଭାରତକୁ ନିନ୍ଦା କରିଥିଲେ । ନିତ୍ୟାନନ୍ଦଙ୍କୁ ସେ ହିନ୍ଦୁ ଧର୍ମର ସର୍ବୋଚ୍ଚ ପୂଜାରୀ କରିବା ସହ ସ୍ୱଦେଶୀ ହିନ୍ଦୁ ଧର୍ମକୁ ପୁନର୍ଜିବିତ କରିବା ପାଇଁ ନିତ୍ୟାନନ୍ଦ ନିର୍ଯାତିତ ହୋଇଥିବା ସେ କହିଥିଲେ । ‘କୈଳାସ’ ହେଉଛି ହିନ୍ଦୁ ଧର୍ମର ପ୍ରଥମ ସାର୍ବଭୌମତ୍ୱ ଦେଶ, ଏହାକୁ ହିନ୍ଦୁ ଧର୍ମର ସର୍ବୋଚ୍ଚ ପୂଜାରୀ ନିତ୍ୟାନନ୍ଦ ପରମଶିବମ୍ ପ୍ରତିଷ୍ଠା କରିଥିଲେ । ନିତ୍ୟାନନ୍ଦ ହିନ୍ଦୁ ସଭ୍ୟତା ଓ ଏହାର ୧୦ ହଜାର ପରମ୍ପରାକୁ ପୁନର୍ଜିବିତ କରିଥିବା ବିଜୟାପ୍ରିୟା କହିଥିଲେ ।

ତେବେ ଏହା ମଧ୍ୟରେ ଉକ୍ତ ମାମଲାରେ ୟୁଏଏନ୍ ତରଫରୁ ବୟାନ ଜାରି କରାଯାଇଛି । ଉକ୍ତ ମାମଲାରେ ଏନଜିଓର ଏକ ନେଟୱାର୍କର ପ୍ରୟୋଗ କରାଯାଇଥିବା ଜଣାପଡ଼ିଛି । ନିତ୍ୟାନନ୍ଦଙ୍କ ପ୍ରତିନିଧି ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଯେଉଁସବୁ ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି, ତାହାକୁ ବିଚାର କରାଯିବ ନାହିଁ । ତେବେ ୟୁଏନ ପକ୍ଷରୁ ଏହି ବୟାନ ଜାରି କରାଯିବା ପରେ ଭଣ୍ଡବାବାଙ୍କର ଭାରତ ବିରୋଧୀ ଷଡ଼ଯନ୍ତ୍ର ଫେଲ୍ ମାରିଛି ।

ସୂଚନାଯୋଗ୍ୟ ଯେ, ନିତ୍ୟାନନ୍ଦଙ୍କ ନାମରେ ଭାରତରେ ଯୌନ ଶୋଷଣ ସହିତ ବିଭିନ୍ନ ମାମଲା ରହିଛି । ଗତ ୨୦୧୯ରେ ତାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିଲା । ପରେ ସେ ଦେଶ ଛାଡ଼ି ପଳାୟନ କରିଥିଲେ । ନିତ୍ୟାନନ୍ଦଙ୍କ ଦ୍ୱାରା ସ୍ଥାପିତ କାଳ୍ପନିକ ଦେଶ ‘କୈଳାସ’ ଇକ୍ୟୁଡରର ଉପକୂଳରେ ଅବସ୍ଥିତ । ଏହାର ନିଜସ୍ୱ ପାସପୋର୍ଟ, ପତାକା ଏପରିକି ରିଜର୍ଭ ବ୍ୟାଙ୍କ ଅଫ୍ କୈଳାସ ଥିବା ସେ ଦାବି କରିଛନ୍ତି ।

Get real time updates directly on you device, subscribe now.