ବନ୍ୟା, ବାତ୍ୟାରେ ଓଡିଶାର ମହିଳାମାନେ ସରକାରଙ୍କୁ ସହଯୋଗ କରିବେ ବିପର୍ଯ୍ୟୟ ପରିଚାଳନାରେ

ଭୁବନେଶ୍ୱର: ମହିଳାଙ୍କ ସଶକ୍ତି ଦିଗରେ ନୂଆ ବିଜେପି ସରକାର ତତ୍ପରତା ଦେଖାଉଛନ୍ତି । ମହିଳାଙ୍କୁ କେବଳ ଋଣ ଦେଇ ବ୍ୟବସାୟ କରିବା ଭିତରେ ସୀମିତ ନ କରି, ସେମାନଙ୍କୁ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ନିୟୋଜିତ କରାଯିବ । ଏଥିପାଇଁ ମଶନ ଶକ୍ତି ମହିଳାଙ୍କୁ ବିଧିବଦ୍ଧ ତାଲିମ ଦେବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ମିଶନ ଶକ୍ତି ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ । ମିଶନ ଶକ୍ତି ମହିଳାଙ୍କ ଏହି ତାଲିମ ପ୍ରୋଗ୍ରାମର ନାଁ ରଖା ଯାଇଛି ସ୍ୱୟଂ ସିଦ୍ଧା ।

ଆମ ରାଜ୍ୟ ଏକ ବାତ୍ୟା ପ୍ରବଣ ରାଜ୍ୟ । ପ୍ରତିବର୍ଷ ଏକାଧିକ ବାତ୍ୟା ସହ ବନ୍ୟା ପରିସ୍ଥିତି ସହ ରାଜ୍ୟ ମୁକାବିଲା କରୁଛି । ଏହାକୁ ଦୃଷ୍ଟିରେ ରଖି ମିଶନ ଶକ୍ତି ମହିଳାଙ୍କୁ ବିପର୍ଯ୍ୟୟ ପରିଚାଳନା କାମରେ ନିୟୋଜିତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ୧୪ଟି ଜିଲ୍ଲାର ୩୯୨୨ ପଞ୍ଚାୟତରେ ଥିବା ଏହି ବର୍ଗର ମହିଳାଙ୍କୁ ତାଲିମ ଦିଆଯିବ । ପ୍ରତି ପଞ୍ଚାୟତରୁ ୫୦ ଜଣ ଲେଖା ମହିଳା ତାଲିମ ପାଇବେ ।

ମହିଳାଙ୍କ ଏହି ତାଲିମ କାମ ଆଗାମୀ ଏକ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଓସଡମା ସହ ଚୁକ୍ତି ହୋଇଛି । ଏହିକ୍ରମରେ ରାଜ୍ୟର ମୋଟ ୧,୮.୦୦୦ ମହିଳାଙ୍କୁ ତାଲିମ ଦିଆଯିବ । ଶ୍ରୀମତି ପଟ୍ଟନାୟକ କହିଛନ୍ତି କି, ଆଗରୁ ଗଞ୍ଜାମ ଓ ଛତ୍ରପୁରରେ ୨୦୦ ମହିଳାଙ୍କୁ ବିପର୍ଯ୍ୟୟ ପରିଚାଳନା ପାଇଁ ତାଲିମ ଦିଆସରିଛି । ଆଗାମୀ ଦିନରେ ଏହି ପ୍ରାଗ୍ରାମକୁ ୩୯୨୨ ପଞ୍ଚାୟତରେ ପହଞ୍ଚା ଯିବ । ସ୍ୱୟଂ ସିଦ୍ଧା ପ୍ରୋଗ୍ରାମରେ ମହିଳା ତାଲିମ ପାଇବା ପରେ କୌଣସି ବିପର୍ଯ୍ୟରେ ଏସଡମା ସହ ମିଶି ପ୍ରଭାବିତଙ୍କ ଉଦ୍ଧାର, ସ୍ଥାନାନ୍ତର ଆଦି କାମରେ ସହଯୋଗ କରିବେ ବୋଲି ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି ।