ନୂଆଦିଲ୍ଲୀ: ବହୁପ୍ରତିକ୍ଷିତ ପର୍ସନାଲ ଡାଟା ପ୍ରୋଟେକସନ୍ ବିଲ୍ କେନ୍ଦ୍ରୀୟ କ୍ୟାବିନେଟ୍ରେ ପାରିତ ହୋଇଛି । ଗତମାସରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ବିଲ୍ ଆଗତ ହେବା ନେଇ ସୂଚନା ଦେଇଥିଲେ। ଏହି ସମୟରେ ସେ ଦର୍ଶାଇଥିଲେ ଯେ, କିପରି ସାମାଜିକ ଗଣମାଧ୍ୟମରେ ଲୋକମାନଙ୍କର ତଥ୍ୟକୁ ଭୁଲ୍ ଉପାୟରେ ବ୍ୟବହାର କରାଯାଉଛି । ବଡ଼ ବଡ଼ ଟେକ୍ କମ୍ପାନୀ ମାନଙ୍କ ଦ୍ୱାରା କରାଯାଉଥିବା ଏହି ତଥ୍ୟ ଚୋରିକୁ ରୋକିବା ପାଇଁ ବ୍ୟାପକ ପରାମର୍ଷ ନିଆଯାଇଛି ଏବଂ ଏହା ଏକ ବିଶ୍ୱ ସ୍ତରୀୟ ଆଇନ ଭାବରେ ପରିକଳ୍ପନା କରାଯାଇଛି ଚନ୍ଦ୍ରଶେଖର ଉଲ୍ଲେଖ କରିଥିଲେ ।
ଗତବର୍ଷ ନଭେମ୍ବର ମାସରେ ସରକାର ଏହି ବିଲ୍କୁ ଜନତାଙ୍କ ମତାମତ ପାଇଁ ପ୍ରକାଶ କରିଥିଲେ । ଏହାପରେ ଅନେକ ବିଶେଷଜ୍ଞମାନଙ୍କ ପରାମର୍ଷ ନେଇ ବିଲ୍ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ୨୦୧୮ରେ ଜଷ୍ଟିସ୍ ବି.ଏନ୍ ଶ୍ରୀକୃଷ୍ଣ କମିଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ଅନ୍ୟ ଏକ ଡାଟା ସୁରକ୍ଷା ବିଲ୍ ପ୍ରତ୍ୟାହାର ହେତୁ ଏହି ବିଲ୍ ଆବଶ୍ୟକ ଥିଲା କାରଣ ଏହା ଅନେକ ଜଟିଳତା କାରଣରୁ ଶିଳ୍ପ ଉପରେ ତଥ୍ୟ ଲୋକାଲାଇଜେସନ୍ ସହ ଜଡିତ ବହୁ ଦାୟିତ୍ୱକୁ ନେଇ ସମାଲୋଚନାର ଶିକାର ହୋଇଥିଲା ।
ଏହି ନୂଆ ବିଲ୍ରେ ପର୍ସନାଲ ତଥ୍ୟ ବ୍ୟତିତ ବ୍ୟକ୍ତିର ଅନ୍ୟାନ୍ୟ ତଥ୍ୟର ବ୍ୟବହାରର ମଧ୍ୟ ରେଗୁଲେସନ କରିବ । ବ୍ୟବସାୟିକ ବ୍ୟବହାର ପାଇଁ ଉପଭୋକ୍ତା ତଥ୍ୟକୁ ସ୍ଥାନୀୟ ଭାବରେ ସଂରକ୍ଷଣ କରିବାର ଆବଶ୍ୟକତାକୁ ଏହା ମଧ୍ୟ ହଟାଇ ଦେଇଛି ଏବଂ ଏହା ବଦଳରେ ‘ବିଶ୍ୱସ୍ତ ଭୌଗୋଳିକ’ରେ ଏହିପରି ତଥ୍ୟ ସଂରକ୍ଷଣ କରିବାର ଅନୁମତି ଦେଇଛି ।
ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ସରଳ ଏବଂ ସାଦାରଣ ଭାଷାରେ ଉପଭୋକ୍ତାର ବ୍ୟବହାର ହେଉଥିବା ତଥ୍ୟ ବିଷୟରେ ସୂଚନା ଦେବାକୁ କହିଛି । ଏହା ଉପଭୋକ୍ତା ମାନଙ୍କୁ ସେମାନଙ୍କର ତଥ୍ୟ ପ୍ରଦାନ କରିବା ଏବଂ ପ୍ରତ୍ୟାହାର କରିବାର ଅଧିକାର ମଧ୍ୟ ଦେଇଛି । ଯେପରିକି ଜଣେ ବ୍ୟକ୍ତି ବ୍ୟାଙ୍କରେ ତାଙ୍କର ଖାତା ବନ୍ଦ କରିଦେଲ ବ୍ୟାଙ୍କ ତାଙ୍କର ସମସ୍ତ ତଥ୍ୟକୁ ଡିଲିଟ୍ କରି ଦେଉଛି, ସେହିଭଳି ସାମାଜିକ ଗଣମାଧ୍ୟମ ଗୁଡ଼ିକ ମଧ୍ୟ ସେମାସନଙ୍କ ପ୍ଲାର୍ଟଫର୍ମରୁ ବ୍ୟକ୍ତିଙ୍କର ତଥ୍ୟ ସବୁ ଡିଲିଟ କରିବା ବାଧ୍ୟତାମୂଳକ କରାଯାଇଛି ।
ସେହିପରି କୌଣସି କମ୍ପାନୀ ଶିଶୁ ମାନଙ୍କର ବ୍ୟବହାରିକ ଶୈଳିକୁ ଟ୍ରାକିଂ କରିପାରିବ ନାହିଁ, କିମ୍ବା ସେ ସମ୍ବଧିତ କୋଣସି ବିଜ୍ଞାପନ ଦେଖାଇବ ନାହିଁ । କୌଣସି ଶିଶୁଙ୍କର ତଥ୍ୟ ନେବା ପୁର୍ବରୁ ସମ୍ପୃକ୍ତ କମ୍ପାନୀ ପ୍ରଥମେ ଅଭିଭାକମାନଙ୍କର ଅନୁମତି ନେବା ଆବଶ୍ୟକ । ଯଦି କମ୍ପାନି ଏହି ସବୁ ନିୟମର ଉଲଂଘନ କରନ୍ତି ତେବେ ସେମାନଙ୍କୁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ ।