fbpx

ବଦଳିବ କେନ୍ଦ୍ର କ୍ୟାବିନେଟ? ଓଡ଼ିଶାର ଜଣଙ୍କୁ ମିଳିପାରେ ମନ୍ତ୍ରୀପଦ, ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମୟ ପାଖେଇ ପାଖେଇ ଆସୁଛି । ସେଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଥିବା ଦେଶର ସର୍ବବୃହତ ଦଳ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହା ମଧ୍ୟରେ ବିଭିନ୍ନ ରାଜ୍ୟକୁ କେନ୍ଦ୍ରୀୟ ନେତାଙ୍କର ତୁହାକୁ ତୁହା ଗସ୍ତ ଆରମ୍ଭ ହୋଇଯାଇଛି । ତେବେ ଏହି ଅବସରରେ ଆସନ୍ତାକାଲି ଠାରୁ ଦଳର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଅବସରରେ ଦଳ ଆଗାମୀ ନିର୍ବାଚନର କାର୍ଯ୍ୟପନ୍ଥା, କେଉଁ ନେତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ, ମନ୍ତ୍ରିମଣ୍ଡଳ ଅଦଳବଦଳ, ବିଭିନ୍ନ ରାଜ୍ୟର ମୁଖିଆ ଚୟନ, କିପରି ଲୋକଙ୍କ ନିକଟରେ ଦଳ ପହଞ୍ଚିପାରିବ ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ କରିବେ ବୋଲି ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ୧୦ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ ନୂଆ ଚେହେରାଙ୍କୁ ଦାୟିତ୍ୱ ଦିଆଯାଇପାରେ ।
ଚଳିତ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ୩ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଏହି ଅବସରରେ ତାଙ୍କର କାର୍ଯ୍ୟକାଳ ସମୟସୀମାକୁ ବୃଦ୍ଧି କରାଯିବ ନା ଜଣେ ନୂଆ ଚେହେରାଙ୍କ ନାମ ଘୋଷଣା କରାଯିବ ତାହା ସ୍ପଷ୍ଟ ହୋଇଯିବ । ତେବେ ନୂଆ ଅଧ୍ୟକ୍ଷଙ୍କ ରେସରେ ସର୍ବାଗ୍ରେ ରହିଛନ୍ତି ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପିଏମ୍ ମୋଦୀଙ୍କ ଜଣେ ବିଶ୍ୱସ୍ତ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ନିର୍ବାଚନୀ ଦାୟିତ୍ୱ ନେଇ ସେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି ।

ଅପରପକ୍ଷରେ ୨୦୨୪ରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏପରି ସ୍ଥିତିରେ ରାଜ୍ୟରେ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବାର ସମ୍ଭାବନା ରହିଛି । ଏନେଇ କିଛି ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ ଆସନ୍ତା ୩୧ ତାରିଖ ସୁଦ୍ଧା କେନ୍ଦ୍ର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେବେ ଦଳ ପଶ୍ଚିମ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଉ ଥିବାରୁ ଉକ୍ତ ଅଞ୍ଚଳର ସାଂସଦଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳିପାରେ ।

ଗତ ୨୦୧୯ରେ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାକୁ ଅଧିକ ଫୋକସ୍ କରିଥିଲା । ଯଦିଓ ବିଜେପି ଶାସକ ବିଜେଡି ସହିତ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିବାରେ ବିଫଳ ହୋଇଥିଲା, ତଥାପି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ସିଟ୍ ଅକ୍ତିଆର କରିବାରେ ସଫଳ ହୋଇଥିଲା । ତେବେ ଉଭୟ ନିର୍ବାଚନରେ ଦଳ କିପରି ଉଚ୍ଚକୋଟୀର ପ୍ରଦର୍ଶନ କରିବାରେ ସଫଳ ହେବ, ସେଥିପାଇଁ ୧୬-୧୭ରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.