fbpx

Facebook, Google ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ ୟୁଜର୍ସ: କେନ୍ଦ୍ର ସରକାର ଲଞ୍ଚ କଲେ ଅନଲାଇନ୍ ପୋର୍ଟାଲ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ି ଚାଲିଥିବା ବେଳେ ଅନେକ ସମୟରେ ୟୁଜର୍ସଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ ୟୁଜର୍ସଙ୍କ ଅଭିଯୋଗର ସଠିକ୍ ସମାଧାନ କରିନଥାନ୍ତି । ତେବେ ଏହି ସମସ୍ୟା ଉପରୁ ଏବେ ପରଦା ହଟିବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସରକାର ନିକଟରେ ଶିକାୟତ ଅପିଲୀୟ ସମିତି (ଜିଏସି) ଗଠନ କରିଥିଲେ ।

ତେବେ ଗ୍ରାହକଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ କେନ୍ଦ୍ର ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ଅନଲାଇନ୍ ପୋର୍ଟାଲ ଲଞ୍ଚ କରାଯାଇଛି । ଜନସାଧାରଣ ଅଭିଯୋଗ ଦାଖଲ କରିବାର ୩୦ ଦିନ ମଧ୍ୟରେ ଜିଏସି କମିଟି ଏହାର ସମାଧାନ କରିବାକୁ ପ୍ରୟାସ କରିବ । ୩ଟି ଜିଏସିରେ ଜଣେ ଲେଖାଏଁ ଅଧ୍ୟକ୍ଷ, ବିଭିନ୍ନ ସଂସ୍ଥାର ଦୁଇଜଣ ପୂର୍ଣ୍ଣକାଳୀନ ସଦସ୍ୟ ଓ ଉଦ୍ୟୋଗ କ୍ଷେତ୍ରରୁ ସେବାନିବୃତ୍ତ ବରିଷ୍ଠ ଅଧିକାରୀ ୩ ବର୍ଷ ପାଇଁ କାର୍ଯ୍ୟ କରିବେ ।

ଗୃହ ମନ୍ତ୍ରଣାଳୟ ଅଧିନରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପ୍ରଥମ ପ୍ୟାନେଲରେ ଅଧ୍ୟକ୍ଷତା କରିବେ । ଆଇଟି ମନ୍ତ୍ରଣାଳୟର ନୀତି ଓ ପ୍ରଶାସନ ବିଭାଗର ପ୍ରଭାରୀ ସଂଯୁକ୍ତ ସଚିବ ଦ୍ୱିତୀୟ ପ୍ୟାନେଲରେ ଅଧ୍ୟକ୍ଷତା କରିବେ । ସେହିପରି ଆଇଟି ମନ୍ତ୍ରଣାଳୟର ବରିଷ୍ଠ ବୈଜ୍ଞାନିକ କବିତା ଭାଟିଆ ତୃତୀୟ ପ୍ୟାନେଲରେ ଅଧ୍ୟକ୍ଷତା କରିବେ । ଗତବର୍ଷ ଜୁନ୍ ମାସରେ ସରକାର ପ୍ରଥମେ ଜିଏସିର ଗଠନ କରିବା କଥା ଉଠାଇଥିଲେ । ନୂଆ ଆଇଟି ନିୟମ ଅନୁସାରେ, ଅଭିଯୋଗ ପ୍ରାପ୍ତ ହେବାର ୭୨ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆ କମ୍ପାନୀକୁ ଭୁଲ ସୂଚନା ଓ ଅବୈଧ ଅଶ୍ଲୀଳ କଣ୍ଟେଣ୍ଟକୁ ହଟାଇବାକୁ ପଡ଼ିବ ।

ଜିଏସି ଭର୍ଚୁଆଲ ମୋଡ଼ରେ ପରିଚାଳିତ ଏକ ଡିଜିଟାଲ ମଞ୍ଚ ଭାବେ କାର୍ଯ୍ୟ କରିବ । ଏହା କେବଳ ଅନଲାଇନ୍ ଓ ଡିଜିଟାଲ ଭାବେ ସଞ୍ଚାଳିତ ହେବ । ଏହି କମିଟି ମାଧ୍ୟମରେ କମ୍ପାନୀମାନଙ୍କର ନିଷ୍ପତ୍ତିକୁ ସମୀକ୍ଷା କରାଯାଇ ପାରିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଏହାଦ୍ୱାରା କଣ୍ଟେଣ୍ଟକୁ ନେଇ ସମସ୍ତ ସୋସିଆଲ ମିଡ଼ିଆ ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ । ଏହି କମିଟି ଗଠନ ବାବଦରେ ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସରକାର ସୂଚନା ଦେଇଥିଲେ ।

Get real time updates directly on you device, subscribe now.