fbpx

କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ୍: ଦେଶର ୩୦ଟି ସହର ହେବ ଭିକାରି ମୁକ୍ତ, ଲଞ୍ଚ ହେବ ଜାତୀୟ ପୋର୍ଟାଲ ଓ ମୋବାଇଲ ଆପ୍

Advertisement

ନୂଆଦିଲ୍ଲୀ: ଦେଶକୁ ଭିକାରି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପ୍ଲାନ କରିଛନ୍ତି । ଦେଶର ୩୦ଟି ସହର ଭିକାରି ମୁକ୍ତ ହେବ । ଏଥିପାଇଁ ଜାତୀୟ ପୋର୍ଟାଲ ଓ ମୋବାଇଲ ଆପ୍ ଲଞ୍ଚ କରାଯିବ । ୨୦୨୬ ମସିହା ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସପୋର୍ଟ ଫର ମାର୍ଜିନାଲାଇଡ୍ ଇଣ୍ଡିଭିଜୁଆଲସ ଫର ଲାଇଭଲିହୁଡ ଆଣ୍ଡ ଏଣ୍ଟରପ୍ରାଇଜେସ) (ସ୍ମାଇଲ) ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି ।

ଏନେଇ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨୦୨୬ ମସିହା ସୁଦ୍ଧା ୩୦ଟି ସହରକୁ ଭିକାରି ମୁକ୍ତ କରିବା ଏହି ଯୋଜନାର ଲକ୍ଷ୍ୟ ରଖିଛି । ଏହିସବୁ ସହରମାନଙ୍କରେ ଭିକ୍ଷାବୃତ୍ତି କରାଯାଉଥିବା ‘ହଟସ୍ପଟ’କୁ ଚିହ୍ନଟ କରାଯିବ । ସେଥିପାଇଁ ଜିଲ୍ଲା ଓ ନଗରପାଳିକା ଅଧିକାରୀମାନେ ସହାୟତା ପ୍ରଦାନ କରିବେ । ଭିକାରିମାନେ ଯେପରି ଭିକ୍ଷାବୃତ୍ତି ନକରିବେ ସେଥିପାଇଁ ସେମାନଙ୍କର କଲ୍ୟାଣ ଦିଗରେ କାର୍ଯ୍ୟ କରାଯିବ ।

ଉତ୍ତରରେ ଅଯୋଧ୍ୟାଠାରୁ ଆରମ୍ଭ କରି ପୂର୍ବରେ ଗୁଆହାଟୀ, ପଶ୍ଚିମରେ ତ୍ରୟମ୍ବକେଶ୍ୱର ଠାରୁ ଆରମ୍ଭ କରି ଦକ୍ଷିଣରେ ଥିରୁବରନ୍ତପୁରମ୍ ପର୍ଯ୍ୟନ୍ତ ଏପରି ଭାବେ ୩୦ଟି ସହରକୁ ବଛା ଯାଇଛି । ଏହି ସହରମାନଙ୍କରେ ସ୍ମାଇଲ ଯୋଜନା ଆରମ୍ଭ କରାଯିବ । ଧାର୍ମିକ, ଐତିହାସିକ ଓ ପର୍ଯ୍ୟଟନର ମହତ୍ତ୍ୱ ଆଧାରରେ ସହରଗୁଡ଼ିକୁ ଚିହ୍ନଟ କରାଯାଇଛି । ସେଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଫେବୃଆରୀ ମାସ ମଧ୍ୟଭାଗରୁ ଏକ ନ୍ୟାସନାଲ ପୋର୍ଟାଲ ଓ ଏକ ମୋବାଇଲ ଆପ୍ ଲଞ୍ଚ କରାଯିବ । ଏହି ଯୋଜନା ଅଧିନରେ ୨୫ଟି ସହରରେ କାମ ଆରମ୍ଭ ହୋଇଯାଇଛି । କିଛି ସହରରେ ସର୍ଭେକ୍ଷଣ କାର୍ଯ୍ୟ ସମାପ୍ତ ହୋଇଛି । ଏହି ଯୋଜନାରେ ଭିକାରିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ଥଇଥାନ କରାଯିବ ଓ ଦକ୍ଷତା ବିକାଶ କରାଯାଇ ରୋଜଗାର ସୁବିଧା ପ୍ରଦାନ କରାଯିବ । ଭିକାରିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଫଳରେ ଆଗାମୀ ଦିନରେ ଭାରତ ଏକ ଭିକାରି ମୁକ୍ତ ରାଷ୍ଟ୍ର ହୋଇ ପାରିବ ।

Get real time updates directly on you device, subscribe now.