fbpx

ଆଜିଠୁ ୩ ଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ଧାରା ରଦ୍ଦ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ସେଠାକୁ ଯିବେ । ଆଜିଠୁ ଅମିତ ଶାହ ତିନିଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯାଉଥିବାବେଳେ ଶ୍ରୀନଗରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ସ୍ଥାନରେ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବାବେଳେ ଡ୍ରୋନ୍‌ ମାଧ୍ୟମରେ ମଧ୍ୟ ନଜର ରଖାଯିବ । ଏହି ଗସ୍ତ ସମୟରେ ଶାହ ଶ୍ରୀନଗରରୁ ସାରଜା ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବେ । ଏହା ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଏକ ସମ୍ମିଳନୀରେ ଯୋଗ ଦେବେ ।ସେହିପରି ରାଜ୍ୟରେ ଦିନକୁ ଦିନ ଘଟୁଥିବା ଟାର୍ଗେଟ କିଲିଂକୁ ନେଇ ଶାହ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ କରିବା ସହିତ ସେ ଜମ୍ମୁରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ।

ଅକ୍ଟୋବର ୨୩ରେ ଅର୍ଥାତ ଶନିବାର ଦିନ ଗୃହମନ୍ତ୍ରୀ ଶ୍ରୀନଗରରେ ପହଞ୍ଚିବେ । ବହୁ ଚର୍ଚ୍ଚିତ ୩୭୦ ଧାରା ହଟାଯିବା ପରେ ଜମ୍ମୁକଶ୍ମୀରରେ ଚାଲିଥିବା ଥିବା ବିକାଶମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ଶ୍ରୀନଗରରେ ଏକ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଛନ୍ତି ।ମାତ୍ର ଜମ୍ମୁକଶ୍ମୀରର ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି ଯେ ଜମ୍ମୁକଶ୍ମୀରର ଶାନ୍ତି ଭାଙ୍ଗିବାକୁ ଦିଆଯିବ ନାହିଁ । ଲୋକଙ୍କୁ ଭୟଭୀତ କରାଇବା ପାଇଁ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ କରୁଛନ୍ତି ।

Get real time updates directly on you device, subscribe now.