fbpx

ଅଜଣା ଗାଡ଼ି ଧକ୍କାରେ ପଥଚାରି ଗୁରୁତର, ପକେଟରୁ ମିଳିଲା ୬୫ହଜାର ଟଙ୍କା

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ପିପିଲି ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଆହତଙ୍କ ପକେଟରୁ ୬୫ହଜାର ଟଙ୍କା ମିଳିଛି । ଶନିବାର ଅପରାହ୍ନ ସମୟରେ ରିଲାଏନସ୍‌ ପେଟ୍ରୋଲ ପମ୍ପ ନିକଟରେ ଗୋପ ଥାନା ଗିରିମା ଗ୍ରାମର ରମେଶ ରାଉତ (୪୫) ନାମକ ବ୍ୟକ୍ତି ଠିଆ ହୋଇଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ରମେଶ ରାସ୍ତାରେ ପଡି ସଜ୍ଞା ହରାଇଥିଲେ । ସ୍ଥାନୀୟ କେତେକ ଯୁବକ ଆହତଙ୍କୁ ଉଦ୍ଧାର କରି ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଚିକିତ୍ସା ହେଉଥିବା ସମୟରେ ରମେଶଙ୍କ ପକେଟରୁ କିଛି ଟଙ୍କା ଗଳିଡିଥିଲା । ସ୍ୱାସ୍ଥ୍ୟ ସେବିକା ସାଧନା ମହାପାତ୍ର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଟଙ୍କାକୁ ରଖି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ କ୍ଷମାନିଧି ସେଠୀଙ୍କୁ ଜଣାଇଥିଲେ । ୬୫ହଜାର ଟଙ୍କା ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଆଇ ତ୍ରୀନାଥ ପାତ୍ରଙ୍କ ପାଖରେ ଗଚ୍ଛିତ ରହିଛି । ଆହତଙ୍କ ପରିବାର ଭୁବନେଶ୍ୱରରେ ରହୁଛନ୍ତି । ପରିବାର ଆସିଲେ ଏହି ଟଙ୍କାକୁ ପୋଲିସ୍‌ ଉପସ୍ଥିତିରେ ହସ୍ତାନ୍ତର କରାଯିବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.