fbpx

ରାଜ୍ୟର ୨୮ଟି ଜିଲ୍ଲା ହେବ ଅନଲକ୍! ଫୋକସରେ ରହିବ ଅଧିକ ସଂକ୍ରମିତ ଅଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଆଂଶିକ ଲକଡାଉନର ଅବଧି ଆସନ୍ତା ୧୬ ତାରିଖ ସକାଳ ୫ଟାରେ ସମାପ୍ତ ହେବ । ତେଣୁ କୋଭିଡ୍ କଟକଣା ନେଇ ସରକାରଙ୍କର କ’ଣ ଆଭିମୁଖ୍ୟ ରହିବ, ତାହାକୁ ନେଇ ଜନସାଧାରଣ ଚାହିଁ ରହିଛନ୍ତି । ତେବେ ଏହି ଅବସରରେ ଡିଏମଇଟି ପ୍ରଫେସର ସିବିକେ ମହାନ୍ତିଙ୍କ ମତାମତ ଅନଲକ୍ ଆଡ଼କୁ ଇସାରା କରୁଥିବା ଜଣାପଡ଼ିଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ ସଂକ୍ରମଣ କମିବାରେ ଲାଗିଛି । କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ଅଧିକ ରହିଥିବାରୁ ଏହି ଦୁଇଟି ଜିଲ୍ଲାକୁ ବିଶେଷ ଫୋକସ୍ କରାଯାଇଛି । ତେବେ ଏହି ଦୁଇ ଜିଲ୍ଲାକୁ ବାଦଦେଇ ଅନ୍ୟ ସମସ୍ତ ଜିଲ୍ଲାକୁ ରାଜ୍ୟ ସରକାର ଅନଲକ ଘୋଷଣା କରିପାରନ୍ତି । ସଂକ୍ରମଣ ଓ ପଜିଟିଭ୍ ହାରକୁ ତର୍ଜମା କରି ସରକାର ଅନଲକ୍ ଘୋଷଣା କରିବେ । ତେବେ ଅନୁଗୁଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ସମ୍ବଲପୁର, ନୟାଗଡ଼, ପୁରୀ, ରାୟଗଡ଼ା, ମାଲକାନଗିରି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଆଦି ୧୭ଟି ଜିଲ୍ଲାରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ଗତ ୩ ମାସର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଗତକାଲି ୨ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିଲା । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ ୨ ହଜାର ତଳେ ରହିଥିଲା । ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିବା ବେଳେ ୨ ହଜାର ତଳକୁ ଖସିବା ପାଇଁ ୨୮ ଦିନ ଲାଗିଥିଲା । ସଂକ୍ରମଣ କମିଆସୁଥିବା ବେଳେ ପୁଣି ବୃଦ୍ଧି ପାଇବାକୁ ନେଇ ପ୍ରଶାସନକୁ ଚିନ୍ତାରେ ପକାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଛି । ତେବେ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ ଓ ବ୍ରହ୍ମପୁର ଭଳି ସହରରେ ସଂକ୍ରମଣ ଫେରିବାର ଆଶଙ୍କା ରହିଥିବାରୁ ଏହି ଅଞ୍ଚଳମାନଙ୍କରେ କଟକଣା ଜାରି ରହିବା ଦରକାର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ପରିସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.