ସାରା ରାଜ୍ୟରେ ଅସମ୍ଭାଳ ତାତି: ୧୪ଯାଏ ସିଭିୟର ହିଟ୍‌ୱେଭ୍ ଆଲର୍ଟ, ରଜମଉଜ ଫିକା ପଡ଼ିବା ସମ୍ଭାବନା

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ କରି ଚାଲିଛି ତାତି । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର ସବୁଠି ତାତିର ରାଜୁତି । ସୂର୍ଯ୍ୟଙ୍କ ପ୍ରଚଣ୍ଡ କୋପରେ ଅସ୍ତବ୍ୟସ୍ତ ସାରା ରାଜ୍ୟ । ଜନଜୀବନ ପାଲଟିଯାଇଛି ଦୁର୍ବିସହ । ସତେ ଯେପରି ରାଜ୍ୟବ୍ୟାପୀ ନିଆଁ ବର୍ଷୁଛି । ଉପାନ୍ତରୁ ଉପକୂଳ ସବୁଠୁ ସ୍ଥିତି ସାଂଘାତିକ । ତତଲା ତାୱାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆସନ୍ତା ୧୪ ତାରିଖ ଯାଏ ପାଣିପାଗ ବିଭାଗ ପକ୍ଷରୁ ସିଭିୟର ହିଟ୍‌ୱେଭ୍‌ ଆଲର୍ଟ ଜାରି କରାଯାଇଥିବାବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ିଳିବନି ବୋଲି ସୂଚନା ଦିଆଯାଇଛି । ଅର୍ଥାତ୍ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର
ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଉପକୂଳରେ ଗୁଳୁଗୁଳି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ରାଜ୍ୟର କିଛି ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ତେବେ ତାପମାତ୍ରାରେ ସୋମବାର ସମ୍ବଲପୁର ରେକର୍ଡ କରିଛି । ଏହାର ସର୍ବୋଚ୍ଚ ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ସୋମବାର ଅଗ୍ନିବର୍ଷା ହୋଇଛି । ସହରର ତାପମାତ୍ରା ୪୪.୩ ଡିଗ୍ରୀ ଥିବାବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ରାଜଧାନୀବାସୀ ଦିନତମାମ ଆଉଟୁପାଉଟୁ ହେଉଥିବାର
ଦେଖିବାକୁ ମିଳିଥିଲା । ମଝିରେ ବିଦ୍ୟୁତ ଚାଲିଯିବାରୁ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ପ୍ରବଳ ତାତି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦୁଝର ପାଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ା ଓ ମୟୂରଭଞ୍ଜ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।

ବୟସ୍କ ଓ ଛୋଟ ପିଲାମାନେ ଖରା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ଅତି ଜରୁରି କାମ ନଥିଲେ ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଖରାରୁ ଦୂରେଇ ରହିବା ସହ ଯଥେଷ୍ଟ
ପରିମାଣର ପାଣି ପିଇବା ପାଇଁ ମଧ୍ୟ କୁହାଯାଇଛି । ଖରାଟିଆ ଚାଷ କରିଥିବା ଚାଷୀ ଭାଇମାନେ ଜମିରେ ଜଳସେଚନ ଜାରି ରଖିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କୁ ନିରାପଦ ସ୍ଥାନରେ ସୁରକ୍ଷିତ ଭାବେ ରଖିବା ସହ ସିଧାସଳଖ ଖରାରୁ ଦୂରେଇ ରଖିବାକୁ ସୂଚନା ଜାରି କରାଯାଇଛି । ପ୍ରାକ୍ ମୌସୁମୀ ବର୍ଷାର ଅଭାବ ତାତି ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି । ସୋମବାର ରାଜ୍ୟର ୧୬ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି । ଚଳିତବର୍ଷ ରଜ ମଉଜ ଫିକା ପଡ଼ିବ ବୋଲି ଆଶଙ୍କା ଦେଖାଦେଇଛି ।

ସୋମବାର ହୀରାକୁଦର ତାପମାତ୍ରା ୪୫.୬ ଡିଗ୍ରୀ ରହିଥିବାବେଳେ ସୋନପୁରରେ ୪୫, ବରଗଡ଼ରେ ୪୪.୯, ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼, ନୟାଗଡ଼ ଓ ତାଳଚେରରେ ୪୪, ଅନୁଗୋଳରେ ୪୩.୯, ଝାରସୁଗୁଡ଼ାରେ ୪୩.୪, ରାଉରକେଲା, କଟକ, ଢେଙ୍କାନାଳ ଓ ନୂଆପଡ଼ାରେ
୪୩.୨, ସୁନ୍ଦରଗଡ଼ରେ ୪୨.୭, ଜଗତସିଂହପୁର ଓ ଖୋର୍ଦ୍ଧାରେ ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି ।