ବାପ ନା ରାକ୍ଷସ! ଯୌତୁକ ପାଇଁ 8 ମାସର ଛୁଆକୁ ଓଲଟା ଝୁଲାଇ ରାସ୍ତାରେ ବୁଲିଲା

ଯୌତୁକ ପାଇଁ 8 ମାସର ଛୁଆକୁ ଓଲଟା ଝୁଲାଇ ରାସ୍ତାରେ ବୁଲିଲା ବାପ

ଉତ୍ତରପ୍ରଦେଶ: ବାପ ନାଁରେ ରାକ୍ଷସ! ଯୌତୁକ ପାଇଁ 8 ମାସର ପୁଅକୁ ଓଲଟା ଧରି ରାସ୍ତାରେ ବୁଲାଇଲା। ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାରେ ଘଟିଯାଇଛି ଏପରି ହୃଦୟ ବିଦାରକ ଘଟଣା। ଯେଉଁଠି ଜଣେ ବ୍ୟକ୍ତି ଯୌତୁକ ପାଇଁ ସ୍ତ୍ରୀକୁ ମାଡ଼ ମାରିବା ସହିତ 8 ମାସର ପୁଅକୁ ଓଲଟା ଧରି ରାସ୍ତାରେ ବୁଲାଇଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ପୀଡିତା ସୁମନଙ୍କ କହିବା ଅନୁସାରେ, ତାଙ୍କ ବିବାହ ୨୦୨୩ ମସିହାରେ ହୋଇଥିଲା। ଶାଶୂଘରକୁ ଯିବା ମାତ୍ରେ ଯୌତୁକ କାରଣରୁ ସ୍ୱାମୀ ଏବଂ ପରିବାରର ଅନ୍ୟମାନେ ସମସ୍ତେ ତାଙ୍କୁ ବାଡେଇବା ସହିତ ଅନେକ ନିର୍ଯାତନା ଦେଲେ।

ସେମାନଙ୍କର ଦାବି ଥିଲା 2 ଲକ୍ଷ ଟଙ୍କା ଏବଂ ଗୋଟିଏ ଗାଡ଼ି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଗୋଟିଏ 8 ମାସର ପୁଅ ଅଛି, ଯୌତୁକ ପାଇଁ ସେମାନେ ତାକୁ ବି ଛାଡୁନାହାଁନ୍ତି। 8 ମାସର ଛୁଆକୁ ସେମାନେ ରାସ୍ତାରେ ଓଲଟା ଝୁଲାଇ ଝୁଲାଇ ନେଉଛନ୍ତି ଏବଂ ମାରିଦେବାକୁ ଧମକ ଦେଉଛନ୍ତି। ଗାଁର ସମସ୍ତେ ମଧ୍ୟ ଏହି ଦୃଶ୍ୟ ଦେଖିଛନ୍ତି ଆଉ ଭିଡ଼ିଓ ବି କରିଛନ୍ତି।

ମୁଁ ଗରିବ ପରିବାରର ହୋଇଥିବାରୁ ନା ମୁଁ ଟଙ୍କା ଦେଇପାରୁଛି ନା ମୋ ଅଭିଯୋଗ କିଏ ଶୁଣୁଛନ୍ତି। ପୋଲିସ ମଧ୍ୟ ମୋ କଥା ଶୁଣୁନାହିଁ। ମୁଁ ଚାହୁଁଛି ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଜେଲ ପଠାଯାଉ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ମିଲକ ଖାନମ୍ ଷ୍ଟେସନ୍ ଇନଚାର୍ଜ ନିଶା ଖଟାନା ନିଶ୍ଚିତ କରିଛନ୍ତି ଯେ, ସଞ୍ଜୁଙ୍କ ବିରୋଧରେ ଧାରା ୧୫୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ମାମଲାକୁ ପରାମର୍ଶ କେନ୍ଦ୍ରକୁ ମଧ୍ୟ ପଠାଯାଇଛି।