ଭୁବନେଶ୍ୱର: ରାଜ୍ୟରେ ଆଜି ପାଳିତ ହେଉଛି ଓଡିଶା ଦିବସ । ୧୯୩୬ ମସିହା ଏପ୍ରିଲ ମାସ ଆଜିର ଦିନରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଏବଂ ଗୌରବର ଦିନ । ପୃଥିବୀର ୨୦ଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ । ଓଡ଼ିଆ ଭାଷା ତା’ର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଇତିହାସକୁ ନେଇ ବିଶ୍ୱରେ ଖ୍ୟାତିଲାଭ କରିଛି ।
ପରାଧୀନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସ୍ୱଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟଙ୍କ ପର୍ଯ୍ୟନ୍ତ ମହାନ୍ ବ୍ୟକ୍ତିତ୍ୱଙ୍କର ଓଡ଼ିଆ ଭାଷା, ସାହିତ୍ୟ ସହିତ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ୧୯୫୪ ମସିହାରେ ଭାଷା ଆଇନ୍ ସଂଶୋଧିତ ହୋଇ ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା ।
ଓଡିଶା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିବସରେ ସରକାର ଏବଂ ରାଜ୍ୟବାସୀ ଏକାଠି ହୋଇ ନ୍ୟାୟୋଚିତ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରିବେ ବୋଲି ଆହ୍ୱାନ ଦେଇଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ରାଜ୍ୟ ଅଧିକ ସମୃଦ୍ଧି ଏବଂ ଉକ୍ରର୍ଷତା ଆଡକୁ ଯାତ୍ରା ଜାରି ରଖିବା ନେଇ କାମନା କରିଛନ୍ତି । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆଜିର ଦିବସରେ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶା ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ଦୃଢ଼ ସଂକଳ୍ପ ହୋଇ କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ଜିଲ୍ଲା ସତ୍ୟଭାମାପୁରଠାରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟଅତିଥି ଭାବରେ ଯୋଗଦେବେ ।
ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ବହୁ ସାଂସଦ ଓ ବିଧାୟକମାନେ କାର୍ଯ୍ୟକ୍ରମରେସାମିଲ ହେବେ । ଆଜି ସଂଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ପାଳିତ ହେବ । ବାଚସ୍ପତି ସୁରମା ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ ।