ସଫଳ ହେଲା ମିଶନ ୪୧: ସୁଡ଼ଙ୍ଗରୁ ବାହାରିବା ପରେ ତୁରନ୍ତ ଶ୍ରମିକଙ୍କୁ ନିଆଯାଉଛି ମେଡ଼ିକାଲ

ଉତ୍ତରାଖଣ୍ଡ: ଶେଷ ହୋଇଛି ଦୀର୍ଘ ୧୭ ଦିନର ପ୍ରତୀକ୍ଷା । ଶେଷରେ ଉଦ୍ଧାର ହୋଇଛନ୍ତି ଫସିଥିବା ୪୧ ଶ୍ରମିକ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସିଥିବା ଶ୍ରମିକମାନଙ୍କୁ ଆଜି ଶେଷରେ ଉଦ୍ଧାର କରାଯାଇଛି । ତେବେ ସେମାନଙ୍କୁ ଉଦ୍ଧାର କରାଯିବା ଆଗରୁ ଘଟଣାସ୍ଥଳରେ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିଲା । ଆମ୍ବୁଲାନ୍ସ ମଧ୍ୟ ସେଠାରେ ଆଗରୁ ଉପସ୍ଥିତ ରହିଥିଲା ।

ତେବେ ପ୍ରଥମ ପର୍ଯ୍ୟାୟରେ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଉଥିବା ସୂଚନା ମିଳିଛି । ସେଠାରେ ସେମାନଙ୍କୁ ଯାଞ୍ଚ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହା ଜଣାପଡ଼ିବ । ତେବେ ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ହସ୍ପିଟାଲକୁ ଯାଉତିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଶେଷ ହେବା ଆଗରୁ ସେମାନଙ୍କ ପରିବାର ଲୋକଙ୍କୁ ସେଠାକୁ ଅଣାଯାଇଥିଲା ।

ଆଜି ସ୍ୱତନ୍ତ୍ର ରେସ୍କ୍ୟୁ ଦଳ ଦ୍ୱାରା ସେମାନଙ୍କୁ ଟନେଲ ଭିତରୁ ଉଦ୍ଧାର କରାଯାଇଛି । ତେବେ ମଝିରେ ଟନେଲ ଭିତରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । କିନ୍ତୁ ପରେ ସେମାନେ ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଥିଲା । ତେବେ ଏତେ ଦିନ ସୁଡ଼ଙ୍ଗ ଭିତରେ ଫସିରହିଥିବା କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅସ୍ଥିର ରହିଥିବା ଆଶଙ୍କା କରାଯାଉଛି । ତେଣୁ ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଛି । ତେବେ ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ବୋଲି ସୂଚନା ମିଳିଛି ।