ଶିଶୁଙ୍କ ଟିକାକରଣ: ଆରମ୍ଭ ହେଲା ପଞ୍ଜୀକରଣ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଲାଣି, ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି । ବିଦେଶ ଫେରନ୍ତଙ୍କ ପାଇଁ ନୂଆ କଟକଣା ଜାରି କରିବା ସହିତ ପିଲାଙ୍କ ଟିକାକରଣ ଓ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଆସନ୍ତା ୩ତାରିଖରୁ ରାଜ୍ୟରେ ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯିବ । ଏଥିପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହେବ । ୨୦୦୭କିମ୍ବା ତା’ପୂର୍ବରୁ ଜନ୍ମ ହୋଇଥିବା ପିଲାମାନେ ଟକା ନେଇପାରିବେ । ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ ।

ଟିକାଦାନ ପାଇଁ ୧୫ରୁ ୧୮ବର୍ଷର ପିଲାମାନେ କୋୱିନ ପୋର୍ଟାଲରେ ନାମ ପଞ୍ଜିକରଣ କରିବେ । ଆଧାର କାର୍ଡ ନଥିଲେ ପିଲାମାନେ  ସ୍କୁଲ ଆଇ  କାର୍ଡରେ ପଞ୍ଜିକରଣ କରିପାରିବେ । ବର୍ତ୍ତମାନ ଯେଉଁ ଟିକାକେନ୍ଦ୍ର ରହିଛି, ସେଠାରେ ମଧ୍ୟ ସକାଳ ୮ରୁ ଅପରାହ୍ନ ୧ଟା ସୁଦ୍ଧା ପିଲାଙ୍କୁ ଟିକା ଦିଆଯିବ । ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା ଦିଆଯିବ । ଟିକାକରଣ ସମ୍ପର୍କରେ ଗୁରୁବାର, ପରିବାର କଳ୍ୟାଣ ନିଦେ୍ର୍ଧଶକ ଡା. ବିଜୟ ପାଣିଗ୍ରାହୀ କହିଥିଲେ, ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ ।