fbpx

ବଂଶଧାରା ଜଳ ବିବାଦ ପ୍ରସଙ୍ଗ : ଟ୍ରିବୁନାଲ ରାୟର ଗେଜେଟ୍ ପ୍ରକାଶନକୁ ସହମତି ଦେଲାନି ଓଡିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି । ସର୍ବୋଚ୍ଚ ନ୍ୟାୟାଳୟ ଚୂଡ଼ାନ୍ତ ରାୟ ପ୍ରଦାନ ନକରିବା ଯାଏଁ ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ଦ୍ୱାରା ପ୍ରଦତ ରାୟକୁ ଗେଜେଟରେ ପ୍ରକାଶନ କରିବା ପାଇଁ ଆନ୍ଧ୍ରପ୍ରଦେଶ ପକ୍ଷରୁ ଓଡିଶା ରାଜ୍ୟକୁ ସହମତି ପ୍ରଦାନ ପାଇଁ ଅନୁରୋଧକୁ ରାଜ୍ୟ ପକ୍ଷରୁ ସ୍ପଷ୍ଟ ଭାବେ ମନା କରାଯାଇଛି ବୋଲି ଓଡିଶା ରାଜ୍ୟ ଜଳସଂପଦ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ।

ବିଭାଗ ତରଫରୁ ଏ ସଂକ୍ରାନ୍ତୀୟ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ବଂଶଧାରା ଜଳ ବିବାଦ ଟ୍ରିବୁନାଲ ତା ୧୩.୦୯.୨୦୧୭ ରେ ତାଙ୍କର ଚୂଡ଼ାନ୍ତ ରାୟରେ ବଂଶଧାରା ନଦୀ ଉପରେ ନେରାଡି ବ୍ୟାରେଜ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲେ । ଓଡିଶା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ଆନ୍ତଃରାଜ୍ୟ ବୁଝାମଣାର ଗୁରୁତ୍ୱପୂର୍ଣ ସର୍ତ୍ତ ଗୁଡିକୁ ମାନ୍ୟବର ଟ୍ରିବୁନାଲଙ୍କ ଦ୍ୱାରା ଅଣଦେଖା କରାଯାଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତକ୍ଷଣାତ ସ୍ୱତନ୍ତ୍ର ଲିଭ ପିଟିସନ୮୦୩୦/୨୦୧୮ତା-୧୨.୧୨.୨୦୧୭ ରେ ଦାୟର କରାଯାଇଥିଲା । ୧୩.୦୯.୨୦୧୭ରେ ଟ୍ରିବୁନାଲଙ୍କ ଚୂଡ଼ାନ୍ତ ରାୟର ସ୍ପଷ୍ଟୀକରଣ ପାଇଁ ଓଡିଶା ପକ୍ଷରୁ ଆବେଦନ କରାଯାଇଛି ।

ଟ୍ରିବୁନାଲ ତାଙ୍କର ୨୧.୦୬.୨୦୨୧ ବିବରଣୀରେ ସୁସ୍ପଷ୍ଟ କରିଛନ୍ତି ଯେ, ଟ୍ରିବୁନାଲ ମୋଟାମୋଟି ଭାବେ ତାଙ୍କର ୧୩.୦୯.୨୦୧୭ର ଚୂଡ଼ାନ୍ତ ରାୟକୁ ଅକ୍ଷୁର୍ଣ୍ଣ  ରଖିଛନ୍ତି , ଯାହା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ସ୍ୱତନ୍ତ୍ର ଲିଭ ପିଟିସନର ଚୂଡ଼ାନ୍ତ ରାୟ ଉପରେ ନିର୍ଭରଶୀଳ । ଓଡିଶା ପରିସୀମା ମଧ୍ୟରେ ମିଳିତ ସର୍ବେକ୍ଷଣ ପାଇଁ ଟ୍ରିବୁନାଲଙ୍କ ୨୩.୦୯.୨୦୧୯ର ନିର୍ଦ୍ଦେଶ ବିପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓଡିଶା ପକ୍ଷରୁ ସ୍ୱତନ୍ତ୍ର ଲିଭ ପିଟିସନ ସଂଖ୍ୟା ୨୭୯୩୦/୨୦୧୯ ଦାୟର କରାଯାଇଛି, ଯାହାକି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏବେ ମଧ୍ୟ ବିଚାରାଧୀନ ଅଛି ।

ଓଡିଶା ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମନ୍ୟମ ସର୍ବୋଚ୍ଚ ନ୍ୟାୟାଳୟରେ ମୋକଦ୍ଦମା ପରିଚାଳନା କରୁଛନ୍ତି । ଏଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ସ୍ୱତନ୍ତ୍ର ଲିଭ ପିଟିସନର ଚୂଡ଼ାନ୍ତ ରାୟ ପ୍ରଦାନ ନ ହେବାଯାଏଁ ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ଦ୍ୱାରା ୧୩.୦୯.୨୦୧୭ରେ ପ୍ରଦତ ରାୟକୁ ଗେଜେଟରେ ପ୍ରକାଶନ ପାଇଁ ଓଡିଶା ରାଜ୍ୟକୁ ଆନ୍ଧ୍ର ପ୍ରଦେଶ ରାଜ୍ୟ ପକ୍ଷରୁ ସହମତି ପ୍ରଦାନ ନିମନ୍ତେ ଅନୁରୋଧକୁ ଓଡିଶା ପକ୍ଷରୁ ସ୍ପଷ୍ଟ ଭାବେ ମନା କରାଯାଇଥିବା ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.