fbpx

ନନଭେଜ୍ ଠାରୁ ଅଧିକ ମହଙ୍ଗା ହେଲା ଭେଜ୍ ଥାଳି, ଟମାଟୋ ସହିତ ଅନ୍ୟାନ୍ୟ ପନିପରିବାର ଦରବୃଦ୍ଧି କାରଣରୁ ୩୪ ପ୍ରତିଶତ ମହଙ୍ଗା ହେଲା ଶାକାହାରୀ ଭୋଜନ

ନୂଆଦିଲ୍ଲୀ:ଶାକାହାରୀ ଭୋଜନ କରୁଥିବା ଲୋକଙ୍କ ପାଇଁ ଏବେ ଚିନ୍ତା ବଢିଯାଇଛି । ବିଭିନ୍ନ ପନିପରିବାର ମୂଲ୍ୟ ଉଚ୍ଚା ରହିଥିବା ବେଳେ ବିଶେଷକରି ଟମାଟୋର ଚଢା ଦର ଶାକାହାରୀଙ୍କ ଭୋଜନ ଥାଳି ଉପରେ ମହଙ୍ଗା ମାଡ କରିଛି । ଜୁଲାଇ ୨୦୨୩ରେ ଜୁନ୍ ତୁଳନାରେ ଶାକାହାରୀ ଭୋଜନ ଥାଳି ୩୪ ପ୍ରତିଶତ ମହଙ୍ଗା ହୋଇଛି । ଏହି ମହଙ୍ଗା ମାଡରୁ ନନଭେଜ୍ ଥାଳି ବି ବାଦ୍ ପଡିନି । ପୂର୍ବ ମାସ ତୁଳନାରେ ଚଳିତ ମାସରେ ନନଭେଜ୍ ଥାଳି ୧୩ ପ୍ରତିଶତ ମହଙ୍ଗା ହୋଇଛି ।

ଫୁଡ୍ ପ୍ଲେସ୍ କଷ୍ଟ ଉପରେ ରେଟିଂ ଏଜେନ୍ସୀ କ୍ରିସିଲର ମାସିକିଆ ରିପୋର୍ଟ ଅନୁସାରେ ଜୁଲାଇ ମାସରେ ଶାକାହାରୀ ଥାଳାରେ ଲଗାତର ଦର ବୃଦ୍ଧି ପରିଲକ୍ଷିତ ହୋଇଛି । ଟମାଟୋ ଦର ଆକାଶଛୁଆଁ ହେବା କାରଣରୁ ଏହି ଦର ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି ଏହି ଦର ବୃଦ୍ଧିରେ କେବଳ ଟମାଟୋର ୨୫ ପ୍ରତିଶତ ଯୋଗଦାନ ରହିଛି । ଜୁନ୍ ରେ ଟମାଟୋ କିଲୋ ପ୍ରତି ୩ ଟଙ୍କା ମୂଲ୍ୟରେ ମିଳୁଥିବା ବେଳେ ଜୁଲାଇରେ ୨୩୩ ପ୍ରତିଶତ ବୃଦ୍ଧି ପାଇ ଏହା ୧୧୦ରେ ପହଞ୍ଚିଥିଲା । ଅଗଷ୍ଟରେ ଟମାଟୋ ବହୁ ସ୍ଥାନରେ କିଲୋ ପ୍ରତି ୨୫୦ ଟଙ୍କାରୁ ୩୦୦ ଟଙ୍କାରେ ବିକ୍ରୀ ହେଉଛି । ସେହିପରି ପିଆଜ ମୂଲ୍ୟ ୧୯ ପ୍ରତିଶତ ଓ ଆଳୁର ମୂଲ୍ୟ ୯ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ଲଙ୍କାର ମୂଲ୍ୟ ୬୯ ପ୍ରତିଶତ ଓ ଜିରାର ମୂଲ୍ୟ ୧୬ ପ୍ରତିଶତ ବୃଦ୍ଧି ପାଇଛି । କ୍ରିସିଲ କହିଛିି ଏହାର ଉପଯୋଗ କମ୍ ମାତ୍ରାରେ ହେଉଥିବାରୁ ପନିପରିବା ତୁଳନାରେ ଥାଳିର ମୂଲ୍ୟ ବୃଦ୍ଧିରେ ଏମାନଙ୍କ ଯୋଗଦାନ କମ୍ ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, କ୍ରିସିଲ ଭାରତରେ ସବୁ ରାଜ୍ୟର ଖାଦ୍ୟପେୟ ମୂଲ୍ୟ ଆଧାରରେ ଘରେ ଏକ ଥାଳିର ମୂଲ୍ୟର ହାରାହାରି ମୂଲ୍ୟ ଆକଳନ କରିଥାଏ । ଏହାଦ୍ୱାରା ସାଧାରଣ ବ୍ୟକ୍ତିର ବ୍ୟୟରେ ହେଉଥିବା ପରିବର୍ତ୍ତନ ବିଷୟରେ ସୂଚନା ମିଳିଥାଏ । ଏହା ବ୍ୟତିତ ଚାଉଳ, ଡାଲି, ପନିପରିବା, ଖାଇବା ତେଲ, ଚିକେନ ଓ ରୋଷେଇ ଗ୍ୟାସ ଆଦିର ଦର ବୃଦ୍ଧି ଥାଳିର ମୂଲ୍ୟ ଉପରେ କେତେ ପ୍ରଭାବ ପକାଉଛି ତାହାର ଡାଟା ଜଣାପଡିଯାଏ । ଏହି ଡାଟା ପାଇବା ଲାଗି ଭେଜ୍ ଥାଳିରେ ରୁଟି,ଟମାଟୋ ଯୁକ୍ତ ପନିପରିବା ତରକାରୀ, ଆଳୁ ଓ ପିଆଜ ବ୍ୟତିତ ଚାଉଳ, ଡାଲି, ଦହି ଓ ସାଲଶଡକୁ ସାମିଲ କରାଯାଏ । ନନଭେଜ୍ ଥାଳିରେ ଡାଲି ଯାଗାରେ ଚିକେନ ସାମିଲ କରାଯାଏ । ଅନୁସନ୍ଧାନରୁ ଜଣାପଡିଛି ନନଭେଜ୍ ଥାଳି ଅପେକ୍ଷା ଭେଜ୍ ଥାଳିର ମୂଲ୍ୟ ଅଧିକ ବୃଦ୍ଧି ପାଇଛି ।

Get real time updates directly on you device, subscribe now.