କଟକ : ସିବିଆଇ ଦ୍ୱାରା ଜବତ ହୋଇଥିବା ୧୫ ଲକ୍ଷ ଟଙ୍କାକୁ ରିଲିଜ୍ ପାଇଁ ହୋଇଥିବା ଆବେଦନର ସୋମବାର ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପୁଲିସ୍ ବା ଯେକୌଣସି ତଦନ୍ତକାରୀ ସଂସ୍ଥା ଦ୍ବାରା ଜବତ ହେଉଥିବା ଟଙ୍କା ଥାନାରେ ନ ରହି ରିଲିଜ୍ ହେବ। ଏହା ପୂର୍ବରୁ ସେସବୁର ସ୍ଥାୟୀ ରେକର୍ଡ଼ ରଖିବା ଲାଗି ହାଇ- ରିଜୋଲ୍ୟୁସନ ଫଟୋଗ୍ରାଫ୍ ଉଠାଯିବ।
ଉକ୍ତ ଜବତ ଟଙ୍କାକୁ ନେଇ ପଞ୍ଚନାମା କରାଯିବ। ଯେଉଁଥିରେ ତଦନ୍ତକାରୀ ଅଧିକାରୀ, ଅଭିଯୋଗକାରୀ, ଅନ୍ୟ ପକ୍ଷ ଏବଂ ପ୍ରତ୍ୟକ୍ଷଦର୍ଶୀ ଦସ୍ତଖତ କରିବେ। ଏଥିସହ ଉପଯୁକ୍ତ ସର୍ତ୍ତ ଏବଂ ସିକ୍ୟୁରିଟି ବଣ୍ଡ ମଧ୍ୟ ରଖିବା ପାଇଁ କୁହାଯିବ। ଯଦି କୌଣସି କାରଣରୁ ତୁରନ୍ତ ଟଙ୍କା ରିଲିଜ୍ କରାଯାଇ ପାରୁନାହିଁ ତାହେଲେ ଅର୍ଥନୀତିକୁ ବୁଷ୍ଟିଂ ପାଇଁ ଉକ୍ତ ଜବତ ଟଙ୍କାକୁ ଏକ ଜାତୀୟକରଣ ବ୍ୟାଙ୍କରେ ଜମା କରାଯିବ। ଜବତ ଟଙ୍କାକୁ ଜୁଡିସିଆଲ ହେପାଜତରେ ରଖାଗଲେ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ ନାହିଁ ବୋଲି ଲକ୍ଷ୍ମଣ ଶ୍ରୀନିବାସନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଶିବ ଶଙ୍କର ମିଶ୍ର ଏହି ରାୟ ଦେଇଛନ୍ତି।
ହାଇକୋର୍ଟ ଜବତ ଟଙ୍କା ରିଲିଜ୍ ପରିପ୍ରେକ୍ଷୀରେ ଏକ ନିର୍ଦେଶାବଳୀ ଜାରି କରିଛନ୍ତି। ଜବତ ହେଉଥିବା ଟଙ୍କା ପଡ଼ି ରହିଲେ ଅର୍ଥନୀତିର ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ଟଙ୍କାର ପ୍ରକୃତ ଅର୍ଥ ହେଉଛି ଏହା ଗୋଟିଏ ହାତରୁ ଅନ୍ୟ ହାତକୁ ଘୂରି ବୁଲିବ। ଯାହାଫଳରେ ବ୍ୟବସାୟ ବୃଦ୍ଧି ସହ ଦେଶର ଅର୍ଥନୀତିରେ ଏହାର ବଡ଼ ଭାଗୀଦାରି ମଧ୍ୟ ରହିବ। ତେଣୁ ଜବତ ହେଉଥିବା ଟଙ୍କା, ସାମଗ୍ରୀ ଯଥା ବ୍ୟାଙ୍କ୍ ଜମା, ସ୍ଥାୟୀ ଜମା (ଫିକ୍ସଡ୍ ଜମା), ଗାଡ଼ି, ସୁନା, ଗହଣା, କୃଷିଜାତ ସାମଗ୍ରୀ ବା ତୁରନ୍ତ ନଷ୍ଟ ହେଉଥିବା ସାମଗ୍ରୀ (େପରିସେବୁଲ୍ ପ୍ରଡ୍କ୍ଟ), ମୋବାଇଲ୍, କ୍ୟାମେରା ଆଦି କିପରି ଥାନାରେ ଜମା ନରହି ତୁରନ୍ତ ରିଲିଜ୍ ହେବ ସେନେଇ ହାଇକୋର୍ଟ ଆେଦଶରେ ଉଲ୍ଲେଖ କରିଛନ୍ତି।
ଏଥିସହ ହାଇକୋର୍ଟ ନିମ୍ନ ଅଦାଲତ ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ୍ଷେତ୍ରରେ କି’ ଭୂମିକା ରହିଛି ସେନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ଯଦି ତଦନ୍ତକାରୀ ସଂସ୍ଥା ଦ୍ୱାରା ବ୍ୟାଙ୍କ ଡିେପାଜିଟ୍ କିମ୍ବା ସ୍ଥାୟୀ ଜମା ଜବତ ହୋଇଥାଏ, ତାହାଲେ ଏହାର ରିଲିଜ୍ ପାଇଁ ଅଭିଯୁକ୍ତଙ୍କୁ ସମାନ ପରିମାଣର ବ୍ୟାଙ୍କ ଗ୍ୟାରେଣ୍ଟି ଅର୍ଥ ଦେବାକୁ ପଡ଼ିବ। ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରୋସିଡିଂ ଆରମ୍ଭ ହୋଇଥିଲେ ବ୍ୟାଙ୍କ୍ ଡିପୋଜିଟ୍ ବା ସ୍ଥାୟୀ ଜମା ରିଲିଜ୍ କରାଯାଇପାରିବ ନାହିଁ।
କେବଳ ପ୍ରାଧିକୃତ ଅଦାଲତଙ୍କ ଅନୁମତିକ୍ରମେ ଉକ୍ତ ଜମା ରାଶି ରିଲିଜ୍ ହେବ। ପୁଲିସ୍ ଷ୍ଟେସନ୍ରେ ଜବତ ଗାଡ଼ି ପଡ଼ି ରହି ନଷ୍ଟ ହେଉଛି। ନିମ୍ନ ଅଦାଲତ ଏବଂ ବିଭାଗୀୟ ଅଧିକାରୀ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିହାତି ଆବଶ୍ୟକ। ଗାଡ଼ିର ମାଲିକଙ୍କୁ ଚିହ୍ନଟ କରି ସୁରକ୍ଷା ଜମା ବଦଳରେ ଗାଡ଼ି ଫେରସ୍ତ ଦିଆଯିବ। ଗାଡ଼ିର ମାଲିକାନାକୁ ନେଇ ବିବାଦ ଥିଲେ ବିଚାର ବିଭାଗୀୟ ଅଧିକାରୀମାନେ ଉକ୍ତ ବିବାଦକୁ ତୁଟାଇବା ସହ ଗାଡ଼ି ରିଲିଜ୍ ପାଇଁ ତୁରନ୍ତ ପଦକ୍ଷେପ ନେବେ।
କୌଣସି ଗାଡ଼ି ତୁରନ୍ତ ରିଲିଜ୍ ହୋଇପାରୁନଥିଲେ ଏହାକୁ ସୁରକ୍ଷିତ ସ୍ଥାନରେ ରଖିବା ଲାଗି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଗାଡ଼ିର ପ୍ରକୃତ ମାଲିକ ଚିହ୍ନଟ ହୋଇପାରୁ ନଥିଲେ କିମ୍ବା କୌଣସି ଗୁରୁତର ମାମଲା ସହ ଜଡ଼ିତ ଥିଲେ ତଦନ୍ତକାରୀ ଅଧିକାରୀ ଗାଡ଼ିର ଫଟୋଗ୍ରାଫ୍ ସହ ସମସ୍ତ ରେକର୍ଡ଼ ରଖି ନିଲାମରେ ଡାକିବେ।
ସେହିଭଳି ଜବତ ସୁନା ଆଦି ମୂଲ୍ୟବାନ ସାମଗ୍ରୀ ପୁଲିସ ହେପାଜତରେ ରଖିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଗୁଡ଼ିକୁ ପୁଲିସ୍ ନିଜ ହେପାଜତ ବଦଳରେ ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ୟାଙ୍କ ଲକରରେ ରଖିବ। ଯଦି ଉକ୍ତ ସୁନା, ଗହଣାର ମାଲିକ ଜଣାଅଛନ୍ତି ତାହେଲେ ସେକ୍ଷେତ୍ରରେ ପ୍ରମାଣ ପାଇଁ ଫଟୋଗ୍ରାଫି ଏବଂ ଭିଡ଼ିଓଗ୍ରାଫି କରି ସେହିସବୁ ସାମଗ୍ରୀକୁ ରିଲିଜ୍ କରିବା ଆବଶ୍ୟକ। ଭବିଷ୍ୟତରେ ଯଦି ଟ୍ରାଏଲ୍ ପାଇଁ ସେହିସବୁ ସାମଗ୍ରୀର ଆବଶ୍ୟକତା ପଡ଼େ ତାହେଲେ ଅଭିଯୋଗକାରୀ ଉକ୍ତ ସାମଗ୍ରୀ ପୁନର୍ବାର ଫେରାଇବେ ବୋଲି ଲିଖିତ ପ୍ରତିଶ୍ରୁତି େଦବେ।
ନିଶା ସାମଗ୍ରୀକୁ ନିଶ୍ଚିତ ଭାବରେ ରିଲିଜ୍ ବା ନଷ୍ଟ କରିବା ଆବଶ୍ୟକ। ତେବେ ଏଥିପାଇଁ କେତେକ ପଦକ୍ଷେପ ନେବାକୁ ପଡ଼ିବ। ଜବତ ନିଶା ସାମଗ୍ରୀର ନମୁନା ସଂଗ୍ରହ କରି ତାହାକୁ ଉପଯୁକ୍ତ ଭାବେ ଜଉମୁଦ କରି ରଖାଯିବ। ବାକି ସାମଗ୍ରୀକୁ ଅଦାଲତଙ୍କ ଅନୁମତିକ୍ରମେ ତୁରନ୍ତ ନଷ୍ଟ ପାଇଁ ପଦକ୍ଷେପ ନିଆଯିବବୋଲି ହାଇକୋର୍ଟ ମତ େଦଇଛନ୍ତି।
ତୁରନ୍ତ ନଷ୍ଟ ହେଉଥିବା ସାମଗ୍ରୀ ଏବଂ କୃଷିଜାତ ସାମଗ୍ରୀ ଯଦି ଜବତ ହୋଇଥାଏ ତାହାକୁ ପ୍ରାଥମିକତା ଭିତ୍ତିରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବା ଆବଶ୍ୟକ। ଯଦି ଉକ୍ତ ସାମଗ୍ରୀର ପ୍ରକୃତ ମାଲିକ ନଥାନ୍ତି, ତାହେଲେ ସରକାରୀ ଏଜେନ୍ସି ଉକ୍ତ ସାମଗ୍ରୀକୁ ତୁରନ୍ତ ନିଲାମ କରିବ। ଯଦି ଆଇନଗତ େପ୍ରାସିଡିଂର ଆବଶ୍ୟକତା ଥାଏ ସେକ୍ଷେତ୍ରରେ ନମୁନା (ସାମ୍ପୁଲ୍) ରଖି ବାକି ସାମଗ୍ରୀକୁ ପ୍ରଦାନ କରିବା ଉଚିତ୍।
ବିସ୍ଫୋରକ ସାମଗ୍ରୀକୁ ଥାନାରେ ନରଖି ତୁରନ୍ତ ସେସବୁକୁ ସ୍ବତନ୍ତ୍ର ସ୍ଥାନରେ ରଖିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଯଦି ଏହିଭଳି ବିସ୍ଫୋରକ ସାମଗ୍ରୀର କେହି ଆଇନଗତ ମାଲିକାନା ଥାଆନ୍ତି ତାହେଲେ ଉକ୍ତ ସାମଗ୍ରୀର ଯାଞ୍ଚ୍ ପରେ ତାଙ୍କୁ ଫେରସ୍ତ ପାଇଁ ପଦକ୍ଷେପ ନିଆଯାଇ ପାରିବ। ଏହା କୌଣସି ଗୁରୁତର ଅପରାଧିକ କାର୍ଯ୍ୟରେ ଜଡ଼ିତ ଥାଏ ସେକ୍ଷେତ୍ରରେ ଉକ୍ତ ସାମଗ୍ରୀକୁ ତୁରନ୍ତ ନଷ୍ଟ କରାଯିବ ନଚେତ୍ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ପାଇଁ ପଦକ୍ଷେପ ନିଆଯିବ।
ଜବତ କ୍ୟାମେରା, ଲାପ୍ଟପ, ମୋବାଇଲ୍ ଫୋନ୍ ଆଦି ଡାଟା ହେରଫେର ପୂର୍ବରୁ ସେସବୁର ଡକୁମେଣ୍ଟ ରଖାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବା ଆବଶ୍ୟକ। ତେବେ ମାଜିଷ୍ଟ୍ରେଟ୍ ଏବଂ ତଦନ୍ତକାରୀ ଅଧିକାରୀ ଏହିଭଳି ସାମଗ୍ରୀ ଯେପରି ତୁରନ୍ତ ରିଲିଜ୍ ହୋଇପାରିବ ସେଦିଗରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତିି । ଏହି ରାୟର ନକଲ ପ୍ରତ୍ୟେକ ଜିଲାକୋର୍ଟ, ସ୍ବତନ୍ତ୍ର କୋର୍ଟ, ନିମ୍ନ ଅଦାଲତ, ପୁଲିସ ଡିଜି, ଅନ୍ୟ ଲ’ ଏନ୍ଫୋର୍ସମେଣ୍ଟ ଏଜେନ୍ସି, ରାଜ୍ୟ ଭିଜିଲାନ୍ସ ନିର୍ଦେଶାଳୟ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ ଏବଂ ଅନ୍ୟ ତଦନ୍ତକାରୀ ଏଜେନ୍ସିକୁ ପ୍ରଦାନ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦେଶ ଦେଇଛନ୍ତି।