fbpx

୨୦୨୪ ଜାନୁଆରୀରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଲାଗିବ VLTD: ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ୱର : ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ (VLTD) ଲାଗିବ। ଏନେଇ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଜାନୁଆରୀ ପହିଲାରୁ ନୂଆ ଗାଡ଼ିରେ ଲାଗିବ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ । ଏଥି ସହିତ ୨୦୨୪ ଜୁନ୍ ୩୦ ସୁଦ୍ଧା ପୁରୁଣା ଗାଡ଼ିରେ ଲାଗିବ ଭିଏଲ୍‌ଟିଡି।

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି ଯେ VLTD ଲଗାଇବା ନିମନ୍ତେ ଡିସେମ୍ବର ୩୧ସୁଦ୍ଧା ପଞ୍ଜୀକୃତ ହୋଇଥିବା ଗାଡି ଗୁଡିକ ପାଇଁ ତାରିଖ କୋହଳ କରାଯାଇଛି। ଏହି ଗାଡି ଗୁଡିକରେ ୨୦୨୪ ଜୁନ୍‌ ୩୦ସୁଦ୍ଧା VLTD ଲଗାଇବାକୁ ପଡିବ। କିନ୍ତୁ ୨୦୨୪ରୁ ପଞ୍ଜୀକରଣ ହେବାର ଥିଲେ ନିୟମ କୋହଳ ହେବନି। VLTD ଲାଗିଛି ନା ନାହିଁ ପଞ୍ଜୀକରଣ ସମୟରେ ଯାଞ୍ଚ ହେବ। ରାଜ୍ୟରେ ଭିଏଲ୍‌ଟିଡି ପ୍ରକଳ୍ପ ପରିଚାଳନା ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ଏକ କମାଣ୍ଡ ସେଣ୍ଟର କରାଯାଇଛି। ଭିଏଲ୍‌ଟିଡି କାର୍ଯ୍ୟକାରୀ କରିବା ନିମନ୍ତେ ବିଏସ୍‌ଏନ୍‌ଏଲ୍‌ ଏକ ସଫ୍ଟୱେର ପ୍ରସ୍ତୁତ କରିଛି।

 

ସୂଚନା ଅନୁସାରେ ଦିଲ୍ଲୀର ନିର୍ଭୟା ଘଟଣା ପରିପ୍ରେକ୍ଷୀରେ ଦେଶର ସମସ୍ତ ରାଜ୍ୟରେ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଭିଏଲ୍‌ଟିଡି ଏବଂ ପାନିକ୍‌ ବଟନ୍‌ ଲଗାଇବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଥିଲେ। ସେଥିପାଇଁ ନିର୍ଭୟା ପାଣ୍ଠିରୁ ରାଜ୍ୟ ମାନଙ୍କୁ ଅର୍ଥ ଯୋଗାଇ ଦିଆଯାଇଛି। ତେବେ ଦେଶର ଚାରିଟି ରାଜ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନେଇଥିବା ବେଳେ ସେଥିରେ ଓଡ଼ିଶା ହେଉଛି ଅନ୍ୟତମ ରାଜ୍ୟ। ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଆପ୍‌ ଓ ସଫ୍ଟୱେର ପ୍ରସ୍ତୁତ କରିବା ଲାଗି ରାଜ୍ୟ ପରିବହନ ବିଭାଗ ଏବଂ ବିଏସ୍‌ଏନ୍‌ଏଲ୍‌ ମଧ୍ୟରେ ୨୦୨୨, ଅକ୍ଟୋବର ମାସରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଯୋଜନା ଅନୁସାରେ କମାଣ୍ଡ ସେଣ୍ଟର ଭିଏଲ୍‌ଟିଡି ଲାଗିଥିବା ପ୍ରତ୍ୟେକ ଗାଡ଼ିର ଗତିବିଧି ଉପରେ ନଜର ରଖିପାରିବ।ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌) ମ୍ୟାପ୍‌ରେ ଯେ କୌଣସି ଗାଡ଼ିର ଅବସ୍ଥିତି ଜାଣିହେବ।

 

Get real time updates directly on you device, subscribe now.