ରାଜ୍ୟର ପ୍ରଥମ ସରକାରୀ କ୍ରିକେଟ ଷ୍ଟାଡିୟମ ଖୁବଶୀଘ୍ର ଉଦଘାଟନ ହେବ: BCCI ମ୍ୟାଚ ଆୟୋଜନ କରିବ, ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ାକୁ ପ୍ରଧାନ୍ୟ ଦେଇ ଆସିଛନ୍ତି । ବିଗତ ଦିନରେ ଓଡ଼ିଶାରେ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବା ସହିତ ବିଭିନ୍ନ କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ରାଜ୍ୟ ଆଗକୁ ବଢ଼ିବାରେ ଲାଗିଛି । ଏଥିସହିତ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଥିବା କ୍ରୀଡ଼ାବିତଙ୍କ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟର କ୍ରୀଡ଼ା ସହ ଯୋଡ଼ି ହେବାକୁ ଯାଉଛି ପୁଣି ଏକ ଗୌରବମୟ ଇତିହାସ ।
ସୂଚନା ମୁତାବକ, କ୍ରିକେଟ ଖେଳକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପୁରୀରେ ନିର୍ମିତ ହୋଇଛି ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ । ଗତ ୨୦୧୮ରେ ଏହି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୨୦୨୩ରେ ତା’ର ନିର୍ମାଣ କାର୍ଯ୍ୟ ସରିଥିଲା । ଷ୍ଟାଡିୟମର ପିଚ, ଆଉଟଫିଲ୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଷ୍ଟାଣ୍ଡାଡର ରହିଥିବା ବେଳେ ୯୦ ମିଟରର ବାଉଣ୍ଡରୀ ରହିଛି । ଏଥିସହିତ ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଗ୍ରାଉଣ୍ଡ ରହିଥିବା ବେଳେ ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ, ଦର୍ଶକଙ୍କ ପାଇଁ ଗ୍ୟାଲେରୀ ସୁବିଧା ରହିଛି ।
ରାଜ୍ୟର ପ୍ରଥମ ସରକାରୀ କ୍ରିକେଟ ଷ୍ଟାଡିୟମ ଭାବେ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏବେ ଏହି ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଆଗାମୀ ଦିନରେ ବିସିସିଆଇ ସେଠାରେ ରଣଜୀ ଟ୍ରଫି ସହ ବିଭିନ୍ନ ବର୍ଗର ମ୍ୟାଚ ଆୟୋଜନ କରିବାର ଲକ୍ଷ୍ୟ ରହିଛି । ଚଳିତ ମାସ ଶେଷ ଆଡ଼କୁ ଏହି ଷ୍ଟାଡିୟମ ଉଦଘାଟିତ ହେବାର ଯୋଜନା ରହିଥିବା ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ଷ୍ଟାଡିୟମ ନିଶ୍ଚିତ ଭାବେ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କୁ ଆଗକୁ ବଢ଼ିବା ଦିଗରେ ସହାୟକ ହେବ । ଏଥିସହିତ ନୂଆ ପ୍ରତିଭାବାନ ଖେଳାଳିଙ୍କୁ ସୃଷ୍ଟି କରିବାରେ ଏହି ଷ୍ଟାଡିୟମ ସହାୟକ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।