(VIDEO) ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ପଛକୁ ପଛ ଧକ୍କା ଦେଲା 5 କାର୍

ନୂଆଦିଲ୍ଲୀ: ଅଳ୍ପକେ ବର୍ତ୍ତିଲେ କେରଳ ମୁଖ୍ୟମନ୍ତ୍ରୀ । ସୋମବାର ସନ୍ଧ୍ୟାରେ କେରଳର ଥିରୁବନନ୍ତପୁରମରେ ଏକ ସଡ଼କ ଦୁର୍ଘଟଣାରୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାଙ୍କ କାରକେଡ୍ ଦୁର୍ଘଟଣା ହୋଇଥିବା ଦେଖାଯାଇଛି । ଏକ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ପାଇଲଟ୍ ହଠାତ୍ ବ୍ରେକ ଲଗାଇଥିଲେ । ଏହାପରେ ବିଜୟନଙ୍କ କାରକେଡକୁ ପଛକୁ ପଛ ହୋଇ ଅନେକ କାର୍ ଧକ୍କା ଦେଇଥିଲା । ଏତେ ବ଼ଡ ଦୁର୍ଘଟଣା ହୋଇଥିଲେ ମଧ୍ୟ କାହାର ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡିଛି । ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛି ଯେ, ଏକ ସ୍କୁଟି ଚାଳକ ହଠାତ୍ ଭାବେ ରାସ୍ତାରେ ଗାଡି ମୋଡିଥିଲେ । ଏହି କାରଣ ଯୋଗୁଁ ଏକ ଧଳା ରଙ୍ଗର ଏସୟୁଭି ଅଟକି ଯାଇଥିଲା । ଏହାସହିତ ଏସୟୁଭି ପଛରେ ଚାଲୁଥିବା ଏକ ଆମ୍ବୁଲାନ୍ସ ସମେତ ଅନେକ ଗାଡି ପଛକୁ ପଛ ହୋଇ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଥିରୁଅନନ୍ତପୁରମର ବାମନପୁରମରେ ହୋଇଛି । 150 କିମି ଦୂର କୋଟାୟାମାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେ ଥିରୁଅନନ୍ତପୁରମ ଫେରୁଥିବା ବେଳେ କୋଟାୟମ ଠାରେ ତାଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣା ପଛରେ ସ୍କୁଟି ଚାଳକଙ୍କର କୌଣସି ସମ୍ବନ୍ଧ ଅଛି କି ନାହିଁ ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ବେଳେ ସେ ପୁନଃ ଯାତ୍ରା ଆରମ୍ଭ କରିଥିଲେ ।