fbpx

(Video): ଅଲିମ୍ପିକ୍ସ ପୂର୍ବରୁ ନଦୀକୁ ଡିଆଁ ମାରିଲେ ପ୍ୟାରିସ୍ ମେୟର, ଜାଣନ୍ତୁ ପରେ କ’ଣ ଘଟିଲା…

ନୂଆଦିଲ୍ଲୀ: ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ୍ ଅଲିମ୍ପିକ୍ସ । ଖେଳର ଏହି ମହାକୁମ୍ଭରେ ଭାରତରୁ ମୋଟ୍ ୧୧୭ ଖେଳାଳି ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିବେ । ଏହା ଅଗଷ୍ଟ ୧୧ରେ ସମାପନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିମଧ୍ୟରେ ବୁଧବାର ସୀନ୍ ନଦୀ(Seine River)ରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ୟାରିସ୍ ମେୟର ଏନି ହିଡାଲଗୋ(Anne Hidalgo) ନଦୀରେ ସନ୍ତରଣ କରୁଥିବାର ନଜର ଆସିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ୱିମିଂ ଇଭେଣ୍ଟରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ପାଇଁ ଏହି ନଦୀ ଜଳର ସ୍ୱଚ୍ଛତା ଦେଖାଇବା ପାଇଁ ଏପରି କରିଥିଲେ ।

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ପ୍ରମୁଖ ଟୋନି ଏଷ୍ଟାଙ୍ଗୁଏଟ୍ ଏବଂ ସରକାରୀ ଅଧିକାରୀ ମାର୍କ ଗିଲୋମଙ୍କ ସହ ସ୍ଥାନୀୟ ସ୍ୱିମିଂ କ୍ଲବର ସଂତରଣକାରୀ ମଧ୍ୟ ହିଡାଲଗୋଙ୍କ ସହ ନଦୀରେ ସନ୍ତରଣ କରିଥିଲେ । ‘ସ୍ୱିମ୍‌ସୁଟ୍‌’ ପିନ୍ଧି ସନ୍ତରଣ କରିବା ପରେ ହିଡାଲଗୋ କହିଥିଲେ, ‘ସୀନ୍ ନଦୀ ବହୁତ ସୁନ୍ଦର, ଏହାର ଜଳ ବହୁତ ଭଲ । ଟିକିଏ ଥଣ୍ଡା ଅଛି କିନ୍ତୁ ଏତେ ବି ଖରାପ ନୁହେଁ ।’ ତିନି ଥର ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଏଷ୍ଟାଙ୍ଗୁଏଟ୍ କହିଥିଲେ, ‘ନଦୀରେ ୨୦ ବର୍ଷ ପର୍ଯ୍ୟନ୍ତ ଖେଳିବା ପରେ ମୋତେ ଏହା ଭଲ ଲାଗିଲା କି ଆମେ ଏହାକୁ ପରିଷ୍କାର ରଖିବା ପାଇଁ ପ୍ରୟାସ କରୁଛୁ ।’ କହିରଖୁଛୁ ଜୁନ୍ ପ୍ରାରମ୍ଭରେ ଡେଲି ୱାଟର କ୍ୱାଲିଟି ଯାଞ୍ଚରେ ନଦୀ ଜଳରେ ଇ. କୋଲି ବ୍ୟାକ୍ଟେରିଆ ଥିବାର ସଂକେତ ମିଳିଥିଲା । କିନ୍ତୁ ବର୍ତ୍ତମାନ ନଦୀ ଜଳର ସ୍ୱଚ୍ଛତା ସ୍ତରରେ ସୁଧାର ଆସିଛି । ନଦୀର ସ୍ୱଚ୍ଛାତାକୁ ସୁନିଶ୍ଚିତ କରିବା ପାଇଁ ୧.୫ ମିଲିୟନ୍ ଡଲାର ନିବେଶ କରାଯାଇଛି । ଏହା ଦ୍ୱାରା ମେୟର ସ୍ୱଚ୍ଛ ସୀନ୍ ନଦୀର ପ୍ରତିଶ୍ରୁତି ପୂରଣ କରିଛନ୍ତି । ତାଙ୍କର ଏଭଳିି ପଦକ୍ଷେତକୁ ସମସ୍ତେ ପ୍ରଶଂସା କରୁଛନ୍ତିି ।

 

Get real time updates directly on you device, subscribe now.