Video: ରାତିଅଧିଆ ପିଡିଏସ୍ ଚାଉଳ ଚୋରାଚାଲାଣ କରୁଥିଲେ, ଅଟୋ ସହିତ ଧରିଲେ ଗ୍ରାମବାସୀ

ଲାଞ୍ଜିଗଡ଼: ଗରିବ ଓ ଅସହାୟ ହିତାଧିକାରୀଙ୍କୁ ସର୍ବସାଧାରଣ ବଣ୍ଟ ବ୍ୟବସ୍ଥାରେ ବଣ୍ଟନ ପାଇଁ ଚାଉଳ ଆସିଥିଲା। କିନ୍ତୁ ଲୋକଙ୍କୁ ଦେବା ବଦଳରେ ରାତାରାତି ଚୋରାଚାଲାଣ କରାଯାଉଥିଲା। ଥରେ ନୁହେଁ, ଦୁଇଥର ନୁହେଁ ଏକାଧିକ ଥର ଚୋରାଚାଲାଣ ହେଉଥିବାବେଳେ ଶେଷରେ ଏକ ଅଟୋ ଯୋଗେ ଚୋରାଚାଲାଣ ହେଉଥିବାବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଥିଲା। ପିଡିଏସ୍ ଚାଉଳ ଚୋରାଚାଲାଣ ବେଳେ ଧରା ପଡି ହଟହଟା ହୋଇଛନ୍ତି ବଣ୍ଟନ ଦାୟିତ୍ୱରେ ଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଯୋଜନା ଲାଗୁ କରିଥିବାବେଳେ ଏବେ ମିଶନଶକ୍ତି ଜରିଆରେ ମହିଳାଙ୍କୁ ସିଧାସଳଖ ଭାବେ ଅନେକ ଯୋଜନାରେ ସଂପୃକ୍ତ କରାଉଛନ୍ତି।

ତେବେ ଏପରି ଭାବେ ଚାଉଳ ବଣ୍ଟନ ଦାୟିତ୍ୱରେ ରହି ଚାଉଳ ଚୋରାଚାଲାଣ ଭଳି ସଙ୍ଗୀନ ଅଭିଯୋଗରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମିଶନଶକ୍ତି ଓ ମହିଳା ସଶକ୍ତିକରଣ ଭଳି ବିଭାଗର ମୁଣ୍ଡ ତଳକୁ କରିଦେଇଛି । ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୮ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ଗ୍ରାମପଞ୍ଚାୟତ ବେନଗାଁର ମାଁ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀ ପିଡିଏସ୍ ଚାଉଳ ବଣ୍ଟନ ଦାୟିତ୍ୱ ତୁଲାଇ ଆସୁଛି । ତେବେ ଦୀର୍ଘ ଦିନ ଧରି ସର୍ବସାଧାରଣ ବଣ୍ଟନ ଦାୟିତ୍ୱରେ ରହିବା ଓ ଦୁର୍ଗମ ଅଞ୍ଚଳ ହେତୁ କୌଣସି ଯାଞ୍ଚ ଆଦି କରାନଯିବା ଫଳରେ ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମନମାନି ବଢିଚାଲିଥିଲା । ଏପରିକି ଗରିବ ହିତାଧିକାରୀମାନଙ୍କ ପାଇଁ ଆସୁଥିବା ଚାଉଳ ଓ କିରୋସନି ଆଦି ଖୋଲା ବଜାରରେ ବିକି ଦିଆଯାଉଥିବାବେଳେ ଚୋରାଚାଲାଣ ମାତ୍ରା ବି ବଢି ଚାଲିଥିଲା ।

ଯାହାକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡିଥିବାବେଳେ ଗତକାଲି ରାତିରେ ଏକ ଅଟୋ ଯୋଗେ ଚୋରାଚାଲାଣ ହେଉଥିବାବେଳେ ୨୪ ବସ୍ତା ଚାଉଳକୁ ଜବତ କରିବା ସହିତ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ରଖି ତାଲା ଦେଇଥିଲେ । ତେବେ ଏହି ଘଟଣାରେ ଅଟୋ ଚାଳକ ଫେରାର ହୋଇଥିବାବେଳେ ଗ୍ରାମବାସୀମାନେ ଚାଉଳ ଚୋରାଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଡି ବସିଥିଲେ । ଏ ସଂପର୍କରେ ଖବର ପାଇ ଆଜି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଧୁମାରାମ ମୁର୍ମୁ, ବ୍ଲକ ଯୋଗାଣ ଅଧିକାରୀ ହରିହର ସାହୁ ପ୍ରମୁଖ ବେନଗାଁ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରଶାସନ ତରଫରୁ ଲାଞ୍ଜିଗଡ ଏବିଡିଓ ବିଭୁତିଭୂଷଣ ଶତପଥି ଘଟଣାସ୍ଥଳରେ ପହଂଚିଥିଲେ।

ତଦନ୍ତ ସମୟରେ ଚାଉଳ ଚୋରାଚାଲାଣରେ ସତ୍ୟତା ଥିବା ଓ ଏଥିରେ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଗୋଲାପୀ ବେହେରା ସିଧାସଳଖ ସଂପୃକ୍ତ ଥିବା ଲୋକେ ଅଭିଯୋଗ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀର ବଣ୍ଟନ ଲାଇସେନ୍ସ ତୁରନ୍ତ ବାତିଲ କରିବା ଏବଂ ପିଡିଏସ୍ ବ୍ୟବସ୍ଥା ପଞ୍ଚାୟତକୁ ହସ୍ତାନ୍ତର ଦାବି କରିଥିଲେ । ଏହାସହିତ ପିଡିଏସ୍ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ତଦନ୍ତ ଚାଲିଥିବାବେଳେ ମାମଲାର ତଦନ୍ତ ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।