ବାଲେଶ୍ୱର: ଦୁଇ ଦିନ ଧରି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିଦୁସ୍ମିତା । ତାହା ପୁଣି ନିଜର ମହାନତା ପାଇଁ ବା ତାଙ୍କର ପ୍ରକୃତ ଭଲପାଇବା ପାଇଁ । ଯେଉଁଠି ଭୋଗର ଲାଳସା ନାହିଁ, ବରଂ ରହିଛି ଖାଲି ତ୍ୟାଗ । ଦିବ୍ୟାଙ୍ଗ ପ୍ରେମିକ ପାଇଁ ନିଜ ପରିବାର ସହ ଲଢି ଶେଷରେ ତାଙ୍କୁ ପତି ଭାବେ ଗ୍ରହଣ କରିଛନ୍ତି ବିଦୁସ୍ମିତା । ଆଜିର ଯୁବପିଢି ପ୍ରମର ପରିଭାଷାକୁ ଭିନ୍ନ ନଜରରେ ଦେଖୁଥିବା ବେଳେ ବିଦୁସ୍ମିତା ଓ ବସନ୍ତଙ୍କ ପାଇଁ ଏହାର ମାନେ ଭିନ୍ନ । ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ।
ସତରେ ପ୍ରେମ ପବିତ୍ର ଶାଶ୍ୱତ ଓ ଚିରନ୍ତନ । ପ୍ରେମ ମାନେନା ବାଧା କି ବନ୍ଧନ । ତେବେ ନିଜ ଦୁଇଟି ଗୋଡ଼ ହରାଇଥିବା ଏହି ଦିବ୍ୟାଙ୍ଗ ଯୁବକଙ୍କୁ ବିବାହ କରି ସମାଜ ପାଇଁ ପ୍ରେରଣା ସାଜିଛନ୍ତି ବିଦୁସ୍ମିତା । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡେରେଇ ପଞ୍ଚାୟତ ସେରପୁର ଅଞ୍ଚଳର ପିତାମ୍ବର ପାଣିଗ୍ରାହୀଙ୍କ ପୁଅ ବସନ୍ତ ପାଣିଗ୍ରାହୀ ୨୦୧୬ ମସିହାରେ ତିହିଡି ବ୍ଲକ ତଳବନ୍ଧ ଗ୍ରାମର ମାୟାଧର ଲେଙ୍କାଙ୍କ ଝିଅ ବିଧୁସ୍ମିତାଙ୍କୁ ପ୍ରେମ କରୁଥିଲେ । ୨୦୨୧ ମସିହାରେ ବସନ୍ତ ଭଦ୍ରକ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀ ଗଡ଼ିଆ ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇଥିଲେ ।ଦୀର୍ଘ ୩ ବର୍ଷ ଚିକିତ୍ସା ହୋଇ ଶଯ୍ୟାଶାୟୀ ଥିଲେ । ତାଙ୍କର ଅଣ୍ଟା ଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଅଚଳ ହୋଇଯାଇଛି ।
ବର୍ତ୍ତମାନ ସେ ଟଲିରିକ୍ସାରେ ଯାତାୟତ କରୁଛନ୍ତି ।ବସନ୍ତର ଏ ଅବସ୍ଥା ପରେ ବି ବିଧୁସ୍ମିତା ଏବଂ ବସନ୍ତର ପ୍ରେମ ଅତୁଟ ରହିଲା । ବିଧୁସ୍ମିତା ପ୍ରେମ ଆଗରେ ହାର ମାନିଲା ବସନ୍ତର ଦୁଇ ଗୋଡ଼ ଅଚଳ । ବିଧୁସ୍ମିତା ବାପା ଓ ପରିବାରର ସମସ୍ତଙ୍କର ଅନୁରୋଧକୁ ପ୍ରତ୍ୟାଖାନ କରି ବସନ୍ତର ହାତ ଧରିଲା । ତାର ଦୃଢ଼ ଇଚ୍ଛାଶକ୍ତି ରହିଛି ବସନ୍ତକୁ ଛିଡ଼ା କରି ଦୁଇ ଗୋଡ଼ରେ ଚଲେଇବ । ବିଦୁସ୍ମିତା ଇଛାକୁ ସମ୍ମାନ ଦେଇ ବାପା ମାୟାଧର ଶେଷରେ ଉଭୟଙ୍କର ବିବାହ ଗତକାଲି ସିମୁଳିଆ ବ୍ଲକ ଜାମୁଝାଡ଼ି ପଞ୍ଚାୟତ ମା’ ତାରିଣୀ ମନ୍ଦିରରେ ବିବାହ ସମ୍ପନ୍ନ କରାଇ କାନ୍ଦି କାନ୍ଦି ଝିଅର ମଙ୍ଗଳ କାମନା କରିଥିଲେ।