fbpx

ଇଣ୍ଡୋନେସିଆରେ ଶୋଭା ପାଇଲା ଓଡ଼ିଆ ପୁଅଙ୍କ କଳାକୃତୀ: ଜାହାଜରେ ପଠାଗଲା ୧୬ ଫୁଟର ‘ପଦ୍ମ ସମ୍ଭବ’ ମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ରାଜ୍ୟରେ ପ୍ରତିଭାର ଅଭାବ ନାହିଁ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ବହୁ ପ୍ରତିଭା ଦେଶ, ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ତେବେ ଏହା ମଧ୍ୟରେ ଜଣେ ଓଡ଼ିଆ ପୁଅ ପୁଣି ଥରେ ଓଡ଼ିଶା ପାଇଁ ସୁଖ୍ୟାତି ଆଣିଛନ୍ତି । ଓଡ଼ିଶାର ଜଣେ ପ୍ରସ୍ତରଶିଳ୍ପୀଙ୍କ କଳାକୃତି ବିଦେଶରେ ଚମକିଛି । ଇଣ୍ଡୋନେସିଆର ଜଣେ ଓଡ଼ିଆ ପୁଅ ୧୬ ଫୁଟ ଉଚ୍ଚର ଏକ ମୂର୍ତ୍ତି ନିର୍ମାଣ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଓଡ଼ିଆ ପ୍ରସ୍ତରଶିଳ୍ପୀଙ୍କ ଦ୍ୱାରା ନିର୍ମିତ ‘ପଦ୍ମ ସମ୍ଭବ’ ମୂର୍ତ୍ତି ଇଣ୍ଡୋନେସିଆର ବାଲି ସ୍ଥିତ ବୁଦ୍ଧ ମନ୍ଦିର ସମ୍ମୁଖରେ ସ୍ଥାପନ କରାଯାଇଛି । ଚଣ୍ଡିଖୋଲ ନିକଟସ୍ଥ ସୁଭଦ୍ରାପୁର ଗ୍ରାମର ରାଜ୍ୟ ହସ୍ତଶିଳ୍ପୀ ପୁରସ୍କାରପ୍ରାପ୍ତ ଯୁବ ପ୍ରସ୍ତରଶିଳ୍ପୀ ବ୍ରହ୍ମାନନ୍ଦ ମହାରଣା ଏହାକୁ ନିର୍ମାଣ କରିଛନ୍ତି । ବ୍ରହ୍ମାନନ୍ଦଙ୍କ ହାତଗଢ଼ା ମୂର୍ତ୍ତି ଇଣ୍ଡେନେସିଆ ଯିବ ବୋଲି ସେ କେବେ ବି କଳ୍ପନା କରିନଥିଲେ । ଏହି ମୂର୍ତ୍ତି ସେଠାରେ ସ୍ଥାପନ ହୋଇଥିବା ନେଇ ସେ ବହୁତ ଖୁସି ବୋଲି ବ୍ରହ୍ମାନନ୍ଦ କହିଛନ୍ତି ।

ଇଣ୍ଡୋନେସିଆର ଜଣେ ବୌଦ୍ଧ ଧର୍ମାବଲମ୍ବୀ ଠିକଣା ସଂଗ୍ରହ କରି ବ୍ରହ୍ମାନନ୍ଦଙ୍କୁ ଏହି ମୂର୍ତ୍ତି ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ୨୦୨୩ ମସିହା ଜାନୁଆରୀ ମାସରୁ ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରି ତାହାକୁ ଡିସେମ୍ବରରେ ସମାପ୍ତ କରିଥିଲେ ବ୍ରହ୍ମାନନ୍ଦ । ଏଥିପାଇଁ ତାଙ୍କୁ ୫ ଜଣ କାରିଗର ସହଯୋଗ କରିଥିଲେ । ୧୬ ଫୁଟ ଉଚ୍ଚତାର ଏହି ମୂତ୍ତି ନିର୍ମାଣ ପାଇଁ ବ୍ରହ୍ମାନନ୍ଦଙ୍କୁ ପାଖାପାଖି ୧ ବର୍ଷ ସମୟ ଲାଗିଥିଲା । ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏକ ବଡ଼ ଟ୍ରେଲରରେ କୋଲକତା ନିଆଯାଇ ସେଠାରୁ ଜାହାଜ ଯୋଗେ ଇଣ୍ଡେନେସିଆ ପଠାଯାଇଥିଲା । ଏଥିପାଇଁ ତାଙ୍କୁ ୮ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିଥିଲା ବୋଳି ବ୍ରହ୍ମାନନ୍ଦ କହିଛନ୍ତି । ତେବେ ଏହି ସଫଳତାର ଶ୍ରେୟ ତାଙ୍କର ଦୁଇ ଗୁରୁଙ୍କୁ ଦେଇଛନ୍ତି ବ୍ରହ୍ମାନନ୍ଦ ।

Get real time updates directly on you device, subscribe now.