ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ । ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି ପ୍ରକାର ଶିଶୁ ଯୌନ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ, “ପ୍ରୋଟେକଶନ ଅଫ୍ ଚିଲଡ୍ରେନ ଫ୍ରମ ସେକ୍ସଉଆଲ ଅଫେନସ ଆକ୍ଟ” (POCSO)ଆଇନ ଅନ୍ତର୍ଗତ ଶିଶୁ ଅଶ୍ଳୀଳ ଭିଡିଓ ଦେଖିବା, ଡାଉନଲୋଡ କରିବା ସହ ନିଜ ପାଖେ ରଖିବାକୁ ସୁପ୍ରିମ କୋର୍ଟ ଏକ ଦଣ୍ଡନୀୟ ଅପରାଧ ବୋଲି ରାୟ ଦେବା ସହ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଅଧିକାର ଓ କଲ୍ୟାଣକୁ ସୁନିଶ୍ଚିତ କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ଵ । ଶିଶୁମାନଙ୍କୁ ଶୋଷଣ କିମ୍ବା କୌଣସି ପ୍ରକାର ଯୌନ ଉତ୍ପୀଡନ ଦେଉଥିବା ବ୍ୟକ୍ତି ଆଇନ ବିଷୟରେ ଜାଣି ନାହିଁ ଅଥବା ନିଜ ଅଜ୍ଞତାର ବାହାନା ଦେଇପାରିବେ ନାହିଁ ବୋଲି ରାଜ୍ୟ ସରକାର ଦୃଢ ମତ ଦେଇଛନ୍ତି ।
ସମସ୍ତ ପ୍ରକାର ଶିଶୁ ଯୌନ ଶୋଷଣ ନିପାତ କରିବା ଉଦ୍ଦେଶ୍ୟରେ କଠୋର ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି । ଶିଶୁ ଅଶ୍ଳୀଳତାର ପ୍ରସାରକୁ ରୋକିବା ପାଇଁ ରାଜ୍ୟ ଆଇନ ପ୍ରଣୟନକାରୀ ସଂସ୍ଥା ସହିତ ସମନ୍ଵୟ ବୃଦ୍ଧି କରାଯିବ । ଏହି ଅପରାଧକୁ ରୋକିବା ଓ ଦୋଷୀକୁ ଦଣ୍ଡ ଦେବା ପାଇଁ ଏକ ସ୍ପେଶାଲ ଟାସ୍କଫୋର୍ସ ଗଠନ କରାଯିବ ।