(ଦେଖନ୍ତୁ ଭିଡିଓ)ଦାରିଙ୍ଗିବାଡ଼ିର ଏହି ଗାଁକୁ ନାହିଁ ରାସ୍ତା କି ଆଲୁଅ, ଗ୍ରାମବାସୀ ମିଶି ତିଆରି କଲେ କାଠପୋଲ

ଦାରିଙ୍ଗିବାଡି(ଓଡ଼ିଶା ଭାସ୍କର): ଜଙ୍ଗଲୀ ଦାରିଙ୍ଗିବାଡି ଠାରୁ ମାତ୍ର ୨୫ କିଲୋମିଟର ଗଲେ ପଡେ ଜଗାଡି । ପ୍ରାୟ ୩୫ଟି ପରିବାର ବସବାସ କରନ୍ତି ଏହି ଗାଁରେ । ଆଉ ଏହି ଗ୍ରାମବାସୀଙ୍କ ଜୀବିକା କହିଲେ କୃଷି । ପ୍ରକୃତିର ସୌନ୍ଦର୍ଯ୍ୟରେ ଭରପୁର ଏହି ଗାଁକୁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଏଠାକୁ ପହଂଚି ପାରିନି ସରକାରଙ୍କ ସମସ୍ତ ପ୍ରକାର ମୌଳିକ ସୁବିଧା । ନା ପିଇବା ପାଣିର ସୁବିଧା, ନା ରହିବା ପାଇଁ ଭଲ ଘର, ନା ପକ୍କା ରାସ୍ତାର ସୁବିଧା । ଏପରିକି ବିଜୁଳି ଆଲୁଅ କଣ ତାହା ବି ଦେଖି ନାହାଁନ୍ତି ଗ୍ରାମବାସୀ । କହିବାକୁ ଗଲେ ଆଜି ବି ଯାଯାଜବର ଜୀବନଯାପନ କରନ୍ତି ଏଠାକାବାସୀ । ଆଜି ବି ବିକାଶ ଠାରୁ ବହୁ ଦୂରରେ ଅଛନ୍ତି ସ୍ଥାନୀୟବାସୀ । ସବୁଠୁ ପରିତାପର ବିଷୟ ଏ ହେଉଛି ଯେ ଗାଁର ବିକାଶ ପାଇଁ ଦେଉଥିବା ସରକାରଙ୍କ ନାରା କେତେ ସଫଳ ରୂପାୟନ ହେଉଛି ତାହା ଏଠାରେ ଦେଖିବାକୁ ମିଳିଛି ।

ଆଜିବି ଯାତାୟାତ ପାଇଁ ଏମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ନଦୀ ପାର ହେବାକୁ ହେଲେ ଏହି କାଠ ପୋଲ ହିଁ ଭରସା । ଆଉ ଏହାକୁ ନିଜକୁ ତିଆରି କରିବାକୁ ପଡେ । ଅନ୍ୟପଟେ ବର୍ଷା ଦିନ କଥା ତ ନକହିବା ଭଲ । ବର୍ଷା ଦିନ ଆସିଲେ ନଦୀ ପାଣି ପସି ବହୁ ଦର୍ଦ୍ଦଶା ଭୋଗନ୍ତି ଏଠାକାବାସୀ । ତେବେ ଏତେ ଅବ୍ୟବସ୍ଥା ଓ ଅସୁବିଧାରେ ଏମାନେ ଥିଲେ ସୁଦ୍ଧା ଆଜି ଯାଏଁ ସରକାରଙ୍କ ଦୃଷ୍ଟି ପଡିନି ଏହି ଅଞ୍ଚଳବାସୀଙ୍କ ଉପରେ । ଏପରିକି ନିଜ ସମସ୍ୟା ବିଷୟରେ ଏମାନେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ତେଣୁ ନିଜ ସମସ୍ୟା ଦୂର ପାଇଁ ନିଜେ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ଗାଁର ଉଭୟ ମହିଳା ଓ ପୁରୁଷ ମିଶି ପୁରୁଣା କାଠ ସଂଗ୍ରହ କରି ଏକ କାଠ ପୋଲ ତିଆରି କରିଛନ୍ତି ।