fbpx

ବିଧାୟକ ପ୍ରାର୍ଥୀ ହେବେ ଭିନେଶ ଫୋଗଟ! ନିର୍ବାଚନୀ ମୈଦାନରେ ଭଉଣୀ ବବିତାଙ୍କ ସହ ହୋଇପାରେ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ମହିଳା ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏବେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ନିକଟରେ ସମାପ୍ତ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲେ ହେଁ ମାତ୍ର ୧୦୦ ଓଜନ ବୃଦ୍ଧି କାରଣରୁ ଭିନେଶ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହାପରେ ଭିନେଶଙ୍କ ସପକ୍ଷରେ ୧୪୦ କୋଟି ଭାରତୀୟ ଛିଡ଼ା ହେବା ସହ ତାଙ୍କୁ ଭାରତ ମାଟିର କନ୍ୟା ଭାବେ ସମର୍ଥନ କରିଥିଲେ । ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ୟୁଜର୍ସ ଭିନେଶଙ୍କ ପଦକ ବିଜୟ ପାଇଁ ପ୍ରାର୍ଥନା କରିଥିଲେ । ଭାରତ ମାତାର ଏହି ଝିଅ ସହ ଷଡ଼ଯନ୍ତ୍ର କରାଯାଉଥିବା ନେଇ ଅନେକ ମତ ଦେଇଥିଲେ ।

ଭିନେଶଙ୍କ ରୌପ ପଦକ ଆଶା ମଉଳିଯିବା ପରେ ସେ ସ୍ୱଦେଶ ଫେରି ଆସିଛନ୍ତି । ଏହା ମଧ୍ୟରେ ଭିନେଶଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଖୁବଶୀଘ୍ର ଭିନେଶ ରାଜନୈତିକ ମୈଦାନକୁ ଓହ୍ଲାଇ ପାରନ୍ତି । ଆସନ୍ତା ଅକ୍ଟୋବର ମାସ ପହିଲାରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ତେଣୁ ଏଭଳି ସ୍ଥିତିରେ ମାଟିର ବୀର କନ୍ୟା ଭିନେଶଙ୍କୁ ପ୍ରାର୍ଥୀ କରିବାକୁ ଅନେକ ରାଜନୈତିକ ଦଳମାନେ ଏବେ ତାଙ୍କୁ ମନାଇବା ଆରମ୍ଭ କରିଦେଇଛନ୍ତି । ଖବର ମୁତାବକ, ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭିନେଶଙ୍କ ବଡ଼ ଭଉଣୀ ବବିତା ବିଜେପିର ପ୍ରାର୍ଥୀ ହୋଇଛନ୍ତି । ତେଣୁ ଭିନେଶ ଯଦି କୌଣସି ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ନ୍ତି ତେବେ ସେ ତାଙ୍କର ଭଉଣୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି ।

ତେବେ କେବଳ ଭିନେଶ ନୁହନ୍ତି, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଯୋଗେଶ୍ୱର ଦତ୍ତ ମଧ୍ୟ ନିର୍ବାଚନରେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ଭିନେଶ ପ୍ୟାରିସରୁ ଫେରିବା ପରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଜୋରଦାର ଭାବେ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ହରିୟାଣାର କଂଗ୍ରେସ ସାଂସଦ ଦୀପେନ୍ଦର ହୁଦା ଓ ଅନ୍ୟ ସଦସ୍ୟମାନେ ମଧ୍ୟ ମାଟିର ଝିଅଙ୍କୁ ପାଛୋଟି ନେଇଥିଲେ । ଏହା ମଧ୍ୟରେ କିଛି ଦଳରେ ଯୋଗ ଦେବା ନେଇ ଭିନେଶଙ୍କୁ ଅଫର ମିଳିଛି । ତେବେ ନିର୍ବାଚନରେ ଭିନେଶ-ବବିତା, ବଜରଙ୍ଗ-ଯୋଗେଶ୍ୱରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ ବୋଲି କୁହାଯାଉଛି । ବବିତା ଓ ଯୋଗେଶ୍ୱର ବିଜେପିରେ ରହିଥିବା ବେଳେ ଭିନେଶ ଓ ବଜରଙ୍ଗ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରେ ସାମିଲ ହୋଇ ପାରନ୍ତି । ଯଦି ଭିନେଶ ରାଜନୀତିରେ ଯୋଗ ଦିଅନ୍ତି ଏହା ପରେ ସେ ପଲିଟିକାଲ ରିଙ୍ଗରେ କେତେ କମାଲ୍ ଦେଖାଉଛନ୍ତି ସେନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.