ବିରାଟ କୋହଲିଙ୍କ ମା’ଙ୍କୁ ନେଇ ଗୁଜବ ପ୍ରଚାର, ସୋସିଆଲ ମିଡିଆରେ ଚିତ୍ର ସ୍ପଷ୍ଟ କଲେ ବିରାଟଙ୍କ ଭାଇ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ଏବେ ଭାରତୀୟ ଟିମ୍‌ରୁ କିଛି ଦିନ ବ୍ରେକ୍ ନେଇଛନ୍ତି । ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଉଥିବା ଟେଷ୍ଟ ସିରିଜର ପୂର୍ବ ୨ ମ୍ୟାଚ୍‌ରେ ତାଙ୍କ ସିଲେକ୍ସନ କରାଯାଇଥିଲା । କିନ୍ତୁ ଏହାର କିଛିଦିନ ପରେ ନିଜର ନାମ ଏଥିରୁ ହଟାଇ ନେଇଥିଲେ । କୋହଲିଙ୍କ ପକ୍ଷରୁ ଏ ବିଷୟରେ କୌଣସି ବୟାନ ଦିଆଯାଇନାହିଁ । କିନ୍ତୁ ବିସିସିଆଇ କହିଥିଲା କିଛି ପାରିବାରିକ କାରଣରୁ ସେ ୨ ଟେଷ୍ଟ ଖେଳିପାରିବେ ନାହିଁ ।

ଏହାରି ମଧ୍ୟରେ କୋହଲିଙ୍କ ମା’ଙ୍କୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଥିଲା ଯାହାକୁ କିଛି ଲୋକ ସତ ବି ମାନି ନେଇଥିଲେ । ଏବେ କୋହଲିଙ୍କ ସାନଭାଇ ବିକାଶ କୋହଲି ସୋସିଆଲ ମିଡିଆରେ ଏ ବିଷୟରେ ଚିତ୍ର ସ୍ପଷ୍ଟ କରିଛନ୍ତି । ବିକାଶ କୋହଲି ଲାଇମଲାଇଟରୁ ପ୍ରାୟ ସମୟରେ ଦୂରେଇ ରହିଥାନ୍ତି । କିନ୍ତୁ ଯେତେବେଳେ ତାଙ୍କ ମା’ଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କଥା ଉଠିଲା ସେତେବେଳେ ସେ ସାମ୍ନାକୁ ଆସିବାକୁ ବାଧ୍ୟ ହୋଇଛନ୍ତି ।

ସୋସିଆଲ ମିଡିଆରେ ବିକାଶ କହିଛନ୍ତି କି ତାଙ୍କ ମା’ଙ୍କ ବିଷୟରେ ଭୁଲ୍ ଖବର ପ୍ରଚାର କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ମନଗଢା ଖବର ପ୍ରସାର କରାଯାଉଛି । ସେ କହିଛନ୍ତି ତାଙ୍କ ମା’ ସଂପୂର୍ଣ୍ଣ ସୁସ୍ଥ । ଏହାସହିତ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ଏହି ପ୍ରକାର ମନଗଢା ଖବର ପ୍ରସାରଣ ନ କରିବାକୁ । କିଛି ଅରାଜକ ତତ୍ତ୍ୱ ଏହିପରି ମନଗଢା ଖବର ପ୍ରଚାର କରିବାରେ ଲାଗିଛନ୍ତି ଯାହାକୁ ଲୋକମାନେ ସତ ବୋଲି ମାନି ବି ନେଉଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ବିରାଟ କୋହଲି ୨ ଟେଷ୍ଟରୁ ବାହାରେ ରହିଛନ୍ତି । ଖୁବ୍ ଶୀଘ୍ର ୩ୟ ଟେଷ୍ଟ ଲାଗି ଭାରତୀୟ ଟିମ୍ ଘୋଷଣା କରାଯାଇପାରେ । ଏଥିରେ କୋହଲି ଫେରୁଛନ୍ତି କି ନା ଏହାକୁ ନେଇ ନିର୍ଦ୍ଧିଷ୍ଟ ଭାବରେ କିଛି ସ୍ପଷ୍ଟ ହୋଇନାହିଁ । ତେବେ କୁହାଯାଉଛି କି କିଛି ବ୍ୟକ୍ତିଗତ କାରଣରୁ କୋହଲି କ୍ରିକେଟରୁ ଏକ ଛୋଟ ବ୍ରେକ୍ ନେଇଛନ୍ତି ।