fbpx

ସଚିନ ୪୯-ବିରାଟ ୪୯: ତେନ୍ଦୁଲକରଙ୍କ ଶତକ ରେକର୍ଡର ସମକକ୍ଷ ହେଲେ କୋହଲି, ଫ୍ୟାନ୍ସଙ୍କୁ ଜନ୍ମଦିନର ଭେଟି

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଚାଲିଥିବା ବିଶ୍ୱକପ ମ୍ୟାଚରେ ବିରାଟ କୋହଲି ଏକ ବିଶ୍ୱ କିର୍ତ୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱ କ୍ରିକେଟର ସର୍ବାଧିକ ଦିନିକିଆ ଶତକ ରେକର୍ଡ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିବା ବେଳେ ଦୀର୍ଘଦିନର ପ୍ରତୀକ୍ଷା ପରେ କିଙ୍ଗ କୋହଲି ଉକ୍ତ ରେକର୍ଡର ସମକକ୍ଷ ହୋଇଛନ୍ତି ।

ସଚିନ ଦିନିକିଆରେ ସର୍ବାଧିକ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ଉକ୍ତ ରେକର୍ଡର ସମକକ୍ଷ ହୋଇଛନ୍ତି । ଆଜି ବିରାଟ ନିଜର ୩୫ତମ ଜନ୍ମଦିନ ଅବସରରେ ଅଗଣିତ ଫ୍ୟାନ୍ସଙ୍କୁ ଏହି ବଡ଼ ଉପହାର ଦେଇଛନ୍ତି । ଚଳିତ ବିଶ୍ୱକପରେ ବିରାଟ ବାଂଲାଦେଶ ବିପକ୍ଷରେ ଶତକ ଅର୍ଜନ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ୮୫, ନ୍ୟୁଜିଲାଣ୍ଡ ବିପକ୍ଷରେ ୯୫ ଓ ଶ୍ରୀଲଙ୍କା ବିପକ୍ଷରେ ୮୮ ରନ୍ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ସଚିନ ୪୫୨ଟି ପାଳିରେ ୪୯ଟି ଶତକ ଅର୍ଜନ କରିଥିବା ବେଳେ ବିରାଟ ୨୭୭ଟି ପାଳିରେ ଏହି କୃତିତ୍ୱ ହାସଲ କରିଛନ୍ତି ।

ଶତକର ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ବିରାଟ ୧୨୦ଟି ବଲ ଖେଳିଥିବା ବେଳେ ୧୦ଟି ଚୌକା ମାରିଥିଲେ । ଗତ କିଛି ମ୍ୟାଚରେ ବିରାଟ ଶତକର ନିକଟବର୍ତ୍ତୀ ହୋଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେଥିରୁ ବଞ୍ଚିତ ହୋଇଥିଲେ । ଆଜି ନିଜର ଜନ୍ମଦିନରେ ଅଗଣିତ ପ୍ରଶଂସକଙ୍କୁ ବିରାଟ ଏହି ଶତକ ଭେଟି ଦେଇଛନ୍ତି । ଆଜି ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରୋହିତ ଶର୍ମା, ଶୁବମନ ଗିଲ, ଶ୍ରେୟସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ ପଡ଼ିଚାଲିଥିବା ବେଳେ ବିରାଟ ଗୋଟିଏ ପଟେ ମଙ୍ଗ ସମ୍ଭାଳିଥିଲେ । ଫଳରେ ଟିମ୍ ଇଣ୍ଡିଆ ୩୦୦ରୁ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.