fbpx

ମାର୍ଚ୍ଚ ୧୧ ଓ ୧୨ରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା: ୩ରୁ ଆଡମିଟ୍ କାର୍ଡ ଡାଉନଲୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ପ୍ରାର୍ଥୀମାନେ ନଭେମ୍ବର ମାସ ୨୪ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିଥିଲେ । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଗ୍ରୁପ-ସି’ରେ ପ୍ରାର୍ଥୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ ।

ମାର୍ଚ୍ଚ ମାସ ୧୧ ଓ ୧୨ ତାରିଖରେ ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ପ୍ରାର୍ଥୀମାନେ ମାର୍ଚ୍ଚ ୩ ଠାରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀଙ୍କୁ ୨ ଘଣ୍ଟା ମଧ୍ୟରେ ୧୨୫ ମାର୍କର ଉତ୍ତର ଦେବାକୁ ପଡ଼ିବ । ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୨୫ ହିସାବରେ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି । ପ୍ରାର୍ଥୀମାନେ ନିଜ ନିଜର ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ୱେବସାଇଟରେ ମକ୍ ଟେଷ୍ଟ ଅଭ୍ୟାସ କରିପାରିବେ ।

ଏଥିରେ ୟୁଆରଙ୍କ ପାଇଁ ୧୧୬ଟି, ଶିକ୍ଷା ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୨୮ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୩୯ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫୧ଟି ପଦ ଖାଲି ରହିଥିଲା । ମାଥମେଟିକ୍ସ କିମ୍ବା ଷ୍ଟାଟିଷ୍ଟିକ୍ସରେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍ ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ରହିଥିଲା । ସେହପରି ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ଯୋଗ୍ୟତା ୩୮ ବର୍ଷ ରହିଥିଲା । ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆଧାରରେ ଚୟନ କରାଯିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା ।

Get real time updates directly on you device, subscribe now.