fbpx

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଲସ୍କର ଆତଙ୍କବାଦୀ ଆଜମ ଚୀମାର ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଲସ୍କର-ଏ-ତୋଏବା (ଏଲଇଟି)ର ସିନିୟର କମାଣ୍ଡର ଆଜମ ଚୀମାର ମୃତ୍ୟୁ ଘଟିଛି । ପାକିସ୍ତାନର ପଞ୍ଜାବର ଫୈସଲାବାଦରେ ୭୯ ବର୍ଷ ବୟସରେ ହାର୍ଟ ଆଟାକରେ ଆତଙ୍କବାଦୀ ଚୀମା ପ୍ରାଣ ହରାଇଥିବା ଜଣାପଡ଼ିଛି । ସେ ୨୦୦୬ ମୁମ୍ବାଇ ଧମାକାର ମାଷ୍ଟରମାଇଣ୍ଡ ଥିଲା ଓ ୨୬/୧୧ ମୁମ୍ବାଇ ଆକ୍ରମଣକାରୀଙ୍କୁ ଟ୍ରେନିଂ ଦେଇଥିଲା ।

ଭାରତ ଉପରେ ଆକ୍ରମଣ ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ଜଣେ ଥିଲା ଚୀମା । ଗତ କିଛି ମାସରେ ପାକିସ୍ତାନରେ ଲସ୍କରର କିଛି ଆତଙ୍କବାଦୀଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ଏବେ ସେହି କ୍ରମରେ ଚୀମାର ନାମ ଯୋଡ଼ି ହୋଇଛି । ତେବେ ଲସ୍କର ଆତଙ୍କବାଦୀଙ୍କ ହତ୍ୟା ପଛରେ ଭାରତୀୟ ଏଜେନ୍ସିଙ୍କ ହାତ ଥିବା ନେଇ ପାକିସ୍ତାନ ଅଭିଯୋଗ କରିଆସୁଛି । ମାତ୍ର ଭାରତ ପକ୍ଷରୁ ଉକ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ସୂତ୍ର ମୁତାବକ, ୨୦୦୦ ଦଶକ ପ୍ରାରମ୍ଭରେ ଚୀମା ପାକିସ୍ତାନର ବହାବଲପୁରରେ ନିଜର ପତ୍ନୀ ଓ ଦୁଇ ସନ୍ତାନଙ୍କ ସହିତ ରହୁଥିଲା । ସେ ଅଧିକାଂଶ ସମୟରେ ନିଜର ୬ ଜଣ ଅଙ୍ଗରକ୍ଷୀଙ୍କ ସହିତ ଏକ ଲ୍ୟାଣ୍ଡ କ୍ରୁଜରରେ ବୁଲୁଥିବା ଦେଖାଯାଇଥିଲା । ୨୦୦୮ ମସିହାଠାରୁ ସେ ଲସ୍କର କମାଣ୍ଡର ଭାବେ କାର୍ଯ୍ୟ କରିଥିଲା । ଲସ୍କର ସଂଗଠନର ବରିଷ୍ଠ ପଦାଧିକାରୀ ଜକୀ-ଉର-ରହମାନ ଲଖଭୀର ସଞ୍ଚାଳନ ପରାମର୍ଶଦାତା ଭାବେ ଚୀମାକୁ ନିଯୁକ୍ତ କରାଯାଇଥିଲା । ଚୀମା ୨୬/୧୧ର ମୁମ୍ବାଇ ଆକ୍ରମଣକାରୀଙ୍କୁ ପ୍ରଶିକ୍ଷଣ ଦେବା ସହିତ ପୂରା ପ୍ଲାନକୁ ସଫଳ କରିବାର ଦାୟିତ୍ୱ ନେଇଥିଲା ।

Get real time updates directly on you device, subscribe now.