fbpx

ହ୍ୱାଟସଆପ୍ ଭାରତ ଛାଡ଼ିବାକୁ ଚେତାବନୀ କାହିଁକି ଦେଲା: ଏହି ଘଟଣା ପଛର ମୂଳ କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଆଇଟି ନିୟମକୁ ନେଇ ମେସେଜିଂ ଆପ୍ ହ୍ୱାଟସଆପ ହାଇକୋର୍ଟରେ ଚେତାବନୀ ଦେଇଛି । କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ପାଳନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ସରକାର ଯେଉଁ ଦାବି କରୁଛନ୍ତି ତାହା ଦ୍ୱାରା ଜନସାଧାରଣଙ୍କ ବ୍ୟକ୍ତିଗତ ତଥ୍ୟ ବିପଦ ଘେରକୁ ଚାଲିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଦେଶରେ ଏବେ ୪୦ କୋଟିରୁ ଅଧିକ ୟୁଜର୍ସ ହ୍ୱାଟସଆପ ବ୍ୟବହାର କରୁଛନ୍ତି ।

ହ୍ୱାଟସଆପ ଓ ତା’ର ମୂଳ କମ୍ପାନୀ ମେଟା ଭାରତର ଆଇଟି ଆଇନର ଏକ ନିୟମକୁ ନେଇ କୋର୍ଟରେ ଚ୍ୟାଲେଞ୍ଜ କରିଛି । ଯଦି ଆବଶ୍ୟକ ପଡ଼େ ତେବେ କମ୍ପାନୀ ସରକାରଙ୍କ ପାଇଁ ଟ୍ରାକ କରିବ ଓ ତା’ର ସୋର୍ସ ବିଷୟରେ ଉଲ୍ଲେଖ କରିବ ବୋଲି ସରକାର ଚାହୁଁଛନ୍ତି । ଅର୍ଥାତ କିଏ କାହାକୁ ମେସେଜ ପଠାଇଲା, ତା’ର ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ହ୍ୱାଟସଆପର କହିବା କଥା ହେଉଛି, ଏହାଦ୍ୱାରା ଲୋକଙ୍କର ପ୍ରାଇଭେସୀ ବିପଦ ଘେରକୁ ଚାଲିଯିବ । ସୁରକ୍ଷା କାରଣରୁ ଲୋକମାନେ ନିରନ୍ତର ଭାବେ ଏହି ପ୍ଲାଟଫର୍ମକୁ ବ୍ୟବହାର କରି ଆସୁଛନ୍ତି । ଯଦି ହ୍ୱାଟସଆପ ନିଜର ମେସେଜ ଏନକ୍ରିପସନ ଭାଙ୍ଗିଦେବ ତେବେ ଏହି ପ୍ଲାଟଫର୍ମ ସମାପ୍ତ ହୋଇଯିବ ବୋଲି ହ୍ୱାଟସଆପ କହିଛି ।

ଯଦି ଆମକୁ ଏନକ୍ରିପସନ ଭାଙ୍ଗିବାକୁ କୁହାଯିବ ତେବେ କମ୍ପାନୀ ଭାରତ ଛାଡ଼ି ଚାଲିଯିବ ବୋଲି ଦିଲ୍ଲୀ ହାଇକୋର୍ଟରେ କମ୍ପାନୀର ଓକିଲ ସ୍ପଷ୍ଟ କରିଛନ୍ତି । ଏକ ରିପୋର୍ଟ ମୁତାବକ, ୨୦୨୧ ମସିହା ଫେବୃରୀ ମାସ ୨୫ ତାରିଖରେ କେନ୍ଦ୍ର ସରକାର ଆଇଟି ନିୟମ ୨୦୨୧ର ଘୋଷଣା କରିଥିଲେ । ତା’ପରେ ଟ୍ୱିଟର, ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମଙ୍କୁ ଉକ୍ତ ନିୟମ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ହ୍ୱାଟସଆପ ଉକ୍ତ ନିୟମକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଆଇନଗତ ଲଢ଼େଇ ଆରମ୍ଭ କରିଦେଇଥିଲା ।

ହ୍ୱାଟସଆପର ଦଲିଲ ମୁତାବକ, ନିଜର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନକୁ ନ ଭାଙ୍ଗି କମ୍ପାନୀ ଭାରତର ନୂଆ ଆଇଟି ନିୟମକୁ ପାଳନ କରିପାରିବ ନାହିଁ । ହ୍ୱାଟସଆପର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ଫିଚର ମେସେଜକୁ ଏପରି ବ୍ରେକ କରେ କି, ତାକୁ ଟ୍ରାକ କରାଯାଇ ପାରିବ ନାହିଁ ଓ କେବଳ ମେସେଜ ପଠାଉଥିବା ବ୍ୟକ୍ତି ଓ ପ୍ରେରକ ହିଁ ଏହାକୁ ପଢ଼ିପାରିବେ । ଏହି ଫିଚର ମାଧ୍ୟମରେ ୟୁଜର୍ସଙ୍କ ପ୍ରାଇଭେସୀ ବଜାୟ ରଖିଥାଏ ବୋଲି କମ୍ପାନୀ କହିଛି । ସରକାରଙ୍କ ଆଦେଶ କମ୍ପାନୀର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ଓ ତା’ର ଫାଇଦାକୁ ବିପଦରେ ପକାଉଥିବା ୨୦୨୧ରେ ହ୍ୱାଟସଆପ ପକ୍ଷରୁ କୋର୍ଟରେ ଦାୟର ହୋଇଥିବା ଯାଚିକାରେ କୁହାଯାଇଥିଲା । ମେସେଜର ସୋର୍ସକୁ ଚିହ୍ନଟ କରିବା ଓ ତାକୁ ଟ୍ରେସ କରିବା ଅସାମ୍ବିଧାନିକ ଓ ୟୁଜର୍ସଙ୍କ ପ୍ରାଇଭେସୀର ମୌଳିକ ଅଧିକାର ବିରୋଧୀ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସରକାରଙ୍କ ମୁତାବକ, ଫେକ ନ୍ୟୁଜ ଓ ଘୃଣ୍ୟ ମନ୍ତବ୍ୟ ପରି କଣ୍ଟେଣ୍ଟକୁ ସମାପ୍ତ କରିବା ପାଇଁ ମେସେଜକୁ ଟ୍ରେସ କରିବା ଜରୁରୀ । ଅନଲାଇନ ସୁରକ୍ଷା ପାଇଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଦାୟୀ । ସେଥିପାଇଁ ସୋସିଆଲ ମିଡ଼ିଆକୁ ଜବାବ ଦେବାକୁ ପଡ଼ିବ । କେନ୍ଦ୍ର ସରକାର ଆଇଟି ଆକ୍ଟର ଧାରା ୮୭ର ୪(୨)କୁ ପ୍ରସ୍ତୁତ କରିବାକୁ ଶକ୍ତି ଦେଇଛନ୍ତି, ତା’ ଅନୁସାରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସୂଚନାର ସ୍ରୋତର ତଥ୍ୟ ଦେବାକୁ ପଡ଼ିବ ବୋଲି ସରକାର କୋର୍ଟରେ କହିଛନ୍ତି । ଭାରତ ପରି ବ୍ରାଜିଲ ସମେତ ଅନ୍ୟ କୌଣସି ଦେଶରେ ଏପରି କୌଣସି ଆଇନ ନାହିଁ ବୋଲି କମ୍ପାନୀ କହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୪ ତାରିଖରେ କରାଯିବ ।

Get real time updates directly on you device, subscribe now.