fbpx

AIIMS-PGIMER ରିସର୍ଚ୍ଚ ରିପୋର୍ଟ: ନିମୋନିଆ ସଂକ୍ରମିତ ପିଲାଙ୍କୁ ସୁରକ୍ଷା ପ୍ରଦାନ କରୁନାହିଁ ଭିଟାମିନ-ଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିମୋନିଆରେ ସଂକ୍ରମିତ ହୋଇଥିବା ପିଲାଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ । ସାଧାରଣ ଭାବେ ନିମୋନିଆରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଭିଟାମିନ୍ ଡି ସେବନ କରିବାକୁ ଦିଆଯାଇଥାଏ । । ମାତ୍ର ସଦ୍ୟତମ ଗବେଷଣା ରିପୋର୍ଟ ଏବେ ଚିନ୍ତା ବଢ଼ାଇ ଦେଇଛି । ଭିଟାମିନ ଡି’ର ଅଧିକ ସେବନ କରିବା ଫଳରେ ତାହା ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ନିକଟରେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର, ଡାକ୍ତରୀ ଶିକ୍ଷା ଓ ଗବେଷଣାର ସ୍ନାତକୋତ୍ତର ପ୍ରତିଷ୍ଠା (ପିଜିଆଇଏମଇଆର) ଚଣ୍ଡିଗଡ଼ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଥିଲା । ସେଥିରେ ୧ ମାସରୁ ୫ ବର୍ଷ ବୟସର ୧୬୦୧ ଜଣ ନିମୋନିଆ ସଂକ୍ରମିତ ପିଲାଙ୍କୁ ସାମିଲ କରାଯାଇଥିଲା । ତେବେ ଭିଟାମିନ ଡି ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରୁଥିବା ବେଳେ ନିମୋନିଆରୁ ଆରୋଗ୍ୟ ଲାଭ କରିବାରେ ତାହା ସହାୟକ ହେଉନଥିବା ଅଧ୍ୟୟନରେ ସାମିଲ ଥିବା ଗବେଷକ କହିଛନ୍ତି ।

ନିମୋନିଆରୁ ଆରୋଗ୍ୟ ପାଇଁ ଆଣ୍ଟିବାୟୋଟିକ୍ ସହିତ ଭିଟାମିନ ଡି’ର ସେବନ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡ଼ିଛି । ନିମୋନିଆରେ ସଂକ୍ରମିତ ହେଲେ ଫୁସଫୁସ ଫୁଲି ଯାଇଥାଏ । ତେଣୁ ଏହାର ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ ଓ ଅନ୍ୟ ଔଷଧ ସହିତ ଅମ୍ଲଜାନ ଦିଆଯାଇଥାଏ । ରୋଗୀକୁ ଭିଟାମିନ ଡି ଦେଲେ ତା’ର ସୁଫଳ ନେଇ କୌଣସି ତଥ୍ୟ ଉପଲବ୍ଧ ନାହିଁ । ବରଂ ତା’ର ଅତ୍ୟଧିକ ସେବନ ଶରୀର ଉପରେ କୁପ୍ରଭାବ ପକାଉଥିବା ରିପୋର୍ଟରେ କୁହାଯାଇଛି । ତେବେ ଉଚିତ ସମୟରେ ଚିକିତ୍ସା କରାଗଲେ ନିମୋନିଆରୁ ଶତ ପ୍ରତିଶତ ଆରୋଗ୍ୟ ମିଳିପାରିବ ବୋଲି ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.