fbpx

ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ: ୨ୟ ଇନିଂସରେ ବିଜୟ ପାଇଁ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜ୍‌ରେ ଲଗାତାର ତିନିଟି ଇନିଂସରେ ଖରାପ ପ୍ରଦର୍ଶନ କରି ସମାଲୋଚନାର ଶିକାର ହୋଇଥିବା ଶୁବମନ ଗିଲ୍‌ ଆଜି ଲକ୍ଷ୍ୟଚ୍ୟୁତ ହୋଇନାହାନ୍ତି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୁବମନ ଏକ ଚମତ୍କାରିତା ପଦର୍ଶନ କରିଛନ୍ତି। ୧୩୨ଟି ବଲ୍‌ରୁ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ସେ ଶତକ ପୂରଣ କରିଛନ୍ତି। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ ଶତକ। ତେବେ ତାଙ୍କର ଏହି ଶତକ ବଳରେ ଭାରତ ନିଜର ୨ୟ ଇନିଂସରେ ୨୫୫ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଛି । ଯାହା ଫଳରେ ବିଜୟ ପାଇଁ ୩୯୯ ରନ ଆବଶ୍ୟକ କରୁଛି ଇଂଲଣ୍ଡ ।

ସୂଚନା ଥାଉକି, ଆଜିର ମ୍ୟାଚରେ ଭାରତ ନିଜର ଗତକାଲିର ସ୍କୋର ୨୮/୦ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ତେବେ ଏହି ଇନିଂସରେ ଅଧିନାୟକ ରୋହିତ ଶର୍ମା ମାତ୍ର ୧୩ ରନରେ ଆଉଟ ହୋଇଯାଇଥିଲେ । ସେହିପରି ପ୍ରଥମ ଇନିଂସରେ ଦ୍ୱିଶତକ ଲଗାଇଥିବା ଯଶସ୍ଵୀ ଜୟସ୍ୱାଲ ମାତ୍ର ୧୭ ରନ କରି ଆଉଟ ହୋଇଥିଲେ। କିନ୍ତୁ ଶୁଭମନ ଗିଲ୍ ଚମତ୍କାର ବ୍ୟାଟିଂ କରି ନିଜର ଶତକ ପୂରଣ କରିଥିଲେ । ସେ ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କ ସହ ମିଶି ଉପଯୋଗୀ ପାର୍ଟନରସିପ କରିଥିଲେ । ଆୟର ୨୭ ରନ ଓ ଅକ୍ଷର ୪୫ ରନ କରିଥିଲେ । ଅନ୍ୟପଟେ ଆର.ଅଶ୍ୱିନୀ୨୯ ରନ କରିଥିଲେ ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିଥିଲା ଓ ନିଜର ପ୍ରଥମ ଇନିଂସରେ ୩୯୬ ରନ କରିଥିଲା । ଅପରପକ୍ଷେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା ।

Get real time updates directly on you device, subscribe now.