fbpx

Bourn Vita ଶିଶୁଙ୍କ ପାଇଁ ହାନୀକାରକ: ଡାଇବେଟିସ, କ୍ୟାନସର ସମସ୍ୟା ବଢ଼ୁଛି, ଭିଡିଓ ଭାଇରାଲ ପରେ କମ୍ପାନୀ ପଠାଇଲା ନୋଟିସ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ତେବେ ଏହିସବୁ ଭାଇରାଲ ଭିଡିଓ ମଧ୍ୟରୁ କିଛି ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ବେଳେ ଆଉ କିଛି ଆମ ସମାଜ ତଥା ଯୁବବର୍ଗଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ତେବେ ନିକଟରେ ବର୍ଣ୍ଣବିଟାକୁ ନେଇ ଏକ ଭିଡିଓ ଖୁବ୍ ଟ୍ରେଣ୍ଡ ହେବାରେ ଲାଗିଛି । ବର୍ଣ୍ଣବିଟା ବ୍ୟବହାର କରିବା ଫଳରେ ତାହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ବୋଲି ଯୁବକ ଜଣଙ୍କ ଏହି ଭିଡିଓରେ କହୁଥିବା ଦେଖାଯାଉଛି ।

ଛୋଟ ପିଲାଙ୍କ ପାଇଁ ବର୍ଣ୍ଣବିଟା କ୍ୟାଡବରୀ ଏକ ପ୍ରସିଦ୍ଧ ବ୍ରାଣ୍ଡ ହୋଇଥିବା ବେଳେ ଏହି ଭିଡିଓ ଭାଇରାଲ ହେବାରେ ପରେ ଭାରତରେ ଏହାକୁ ବ୍ୟାନ କରିବା ନେଇ ଦାବି କରାଯାଉଛି । ସୋସିଆଲ ମିଡ଼ିଆରେ ଇନଫ୍ଲୁଏନ୍ସର ରେବନ୍ତ ହିମନ୍ତସିଙ୍ଗକା ଏକ ଭିଡିଓ ଶେୟାର କରିଥିଲେ । ନ୍ୟୁଟ୍ରିସନିଷ୍ଟ ଓ ହେଲଥ କୋଚ ରେବନ୍ତ କହିଛନ୍ତି, ବର୍ଣ୍ଣବିଟା ଏକ ପାନୀୟ ନୁହେଁ ଏହା ଡାଇବେଟିସକୁ ଆମନ୍ତ୍ରଣ କରୁଥିବା ଏକ ଡ୍ରିଙ୍କ । ବର୍ଣ୍ଣବିଟାରେ ପ୍ରଚୁର ମାତ୍ରାରେ ଶୁଗାର ରହିଥିବା ବେଳେ ସେଥିରେ କୋକୋ ସାଲିଡସ ଓ କ୍ୟାନସର ସୃଷ୍ଟି କରୁଥିବା ରଙ୍ଗ ମଧ୍ୟ ରହିଛି ।

ତେବେ ରେବନ୍ତଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅଭିନେତା ପରଶେ ରାୱଲ ଓ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ ଏହାକୁ ମଧ୍ୟ ଶେୟାର କରିଥିଲେ । ଏହାପରେ ବର୍ଣ୍ଣବିଟା କମ୍ପାନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେବନ୍ତଙ୍କ ନିକଟକୁ ଲିଗାଲ ନୋଟିସ୍ ପଠାଇଥିଲା । ରେବନ୍ତଙ୍କ ଯୁକ୍ତି ‘ଅଣବୈଜ୍ଞାନିକ’ ହୋଇଥିବା ବେଳେ ସେ ତଥ୍ୟକୁ ଏପଟ ସେପଟ କରି ଉପସ୍ଥାପନ କରିଛନ୍ତି । ତାଙ୍କର ତଥ୍ୟ ମିଥ୍ୟା ଓ ନକାରାତ୍ମକ ଅଟେ । ଗତ ୭୦ ବର୍ଷ ଧରି ଭାରତୀୟ ଗ୍ରାହକଙ୍କୁ କମ୍ପାନୀ ଭିଟାମିନ, ଏ, ସି, ଡି, ଆଇରନ, ଜିଙ୍କ ଯୁକ୍ତ ସାମଗ୍ରୀ ଯୋଗାଇ ଆସୁଛି । ନ୍ୟୁଟିଶନିଷ୍ଟ ଓ ଫୁଡ୍ ବିଜ୍ଞାନୀଙ୍କ ଦ୍ୱାରା ଉଚ୍ଚକୋଟୀର ପ୍ରକ୍ରିୟାରେ ସ୍ୱାଦ ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଉଥିବା କମ୍ପାନୀ କହିଛି ।

ତେବେ ଲିଗାଲ ନୋଟିସ ମିଳିବା ପରେ ରେବନ୍ତ ସଙ୍ଗେସଙ୍ଗେ ତାଙ୍କର ଭିଡିଓ ଡିଲିଟ୍ କରିଦେଇଥିଲେ । ଭିଡିଓ ପ୍ରସ୍ତୁତ କରିଥିବାରୁ ସେ କ୍ୟାଡବରୀ କମ୍ପାନୀକୁ କ୍ଷମା ମାଗିଥିଲେ । କୌଣସି ଟ୍ରେଡମାର୍କ ଉଲ୍ଲଂଘନ କରିବା କି କାହାକୁ ବଦନାମ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଏହାକୁ ଆଇନଗତ ଭାବେ ଆଗକୁ ନ ବଢ଼ାଇବା ପାଇଁ ରେବନ୍ତ ବହୁରାଷ୍ଟ୍ରୀୟ କମ୍ପାନୀକୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.