fbpx

ସାମ୍ନାକୁ ଆସିଲା ଗବେଷଣା ରିପୋର୍ଟ: ଦେଶରେ ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ବାର୍ଷିକ ୧ ଲକ୍ଷ ଲୋକ ପ୍ରାଣ ହରାଇବେ!

ନୂଆଦିଲ୍ଲୀ: ପ୍ରକୃତିର ଏଇ ସୃଷ୍ଟିରେ ବିଭିନ୍ନ ପ୍ରକାରର ବୃକ୍ଷଲତା, ପଶୁପକ୍ଷୀ, ସରିସୃପ ରହିଛନ୍ତି । ତେବେ ପ୍ରତ୍ୟେକ ଜୀବର ଆମ ପରିବେଶ ପାଇଁ ଯଥେଷ୍ଟ ଅବଦାନ ରହିଥାଏ । ଯେପରିକି ଜିଆ ମାଟିରେ ରହିବା ଫଳରେ ମାଟିର ଉର୍ବରତା ବୃଦ୍ଧି ପାଇଥାଏ । ଫଳରେ ଉକ୍ତ ଜମିରେ ଭଲ ଫସଲ ହେବା ସହିତ ଚାଷୀ ଲାଭବାନ ହୁଏ ଓ ଦେଶ କୃଷି କ୍ଷେତ୍ରରେ ବିକାଶ ଲାଭ କରିଥାଏ । ତେବେ ଏହା ମଧ୍ୟରେ ଏକ ଚିନ୍ତାଜନକ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି । ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ଦେଶରେ ବର୍ଷକୁ ୧ ଲକ୍ଷ ଲୋକ ପ୍ରାଣ ହରାଇବେ ବୋଲି ଆଶଙ୍କା କରାଯାଉଛି ।

ଆମର ପରିବେଶ ପାଇଁ ଶାଗୁଣା ଜୀବିତ ରହିବା ନିହାତି ଆବଶ୍ୟକ । ମୃତ ଜୀବଙ୍କୁ ପରିଷ୍କାର କରିବାରେ ଶାଗୁଣା ବଡ଼ ଭୂମିକା ନିର୍ବାହ କରିଥାଏ । ପ୍ରତିବର୍ଷ ଭାରତରେ କୋଟି କୋଟି ପଶୁ ମୃତ୍ୟୁବରଣ କରୁଥିବା ବେଳେ ସେହି ଜୀବଙ୍କର ଶବକୁ ଖାଇ ଶାଗୁଣାମାନେ ପରିଷ୍କାର କରିଥାନ୍ତି । ମୃତ ଜୀବଙ୍କର ଶବ ଭୂମିରେ ପଡ଼ି ରହିବା ଫଲରେ ଅନେକ ବୀମାରୀ ବ୍ୟାପିବାର ଆଶଙ୍କା ରହିଥାଏ । ଏଥିସହିତ ଏହାଦ୍ୱାରା ଜଳ ଓ ବାୟୁ ପ୍ରଦୂଷିତ ହେବାର ଆଶଙ୍କା ମଧ୍ୟ ରହିଥାଏ । ତେଣୁ ଶାଗୁଣା ଏହି ଶବକୁ ଖାଇ ପରିଷ୍କାର କରିବା ଫଳରେ ତାହା ଆମ ପରିବେଶକୁ ସୁରକ୍ଷା ପ୍ରଦାନ କରିଥାଏ ।

ରିସର୍ଚ୍ଚ ମୁତାବକ, ଦେଶରେ ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ତାହା ମାନବ ଜୀବନ ଉପରେ ପ୍ରଭାବ ପକାଇପାରେ । ଶାଗୁଣାଙ୍କ ହାର କମିବା ଫଳରେ ବାର୍ଷିକ ହଜାର ହଜାର ଲୋକଙ୍କର ପ୍ରାଣହାନୀ ହୋଇପାରେ । ଏହି ସଂଖ୍ୟା ୧ ଲକ୍ଷରୁ ଅଧିକ ହୋଇପାରେ । ଶାଗୁଣାଙ୍କ ସଂଖ୍ୟା କମିବା ଫଲରେ ଦେଶରେ ଲୋକଙ୍କର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା କିଛି ଅର୍ଥଶାସ୍ତ୍ରୀଙ୍କ ରିସର୍ଚ୍ଚ ତଥ୍ୟରୁ ଜଣାପଡ଼ିଛି । ୯୦ ଦଶକ ପରେ ଦେଶରେ ଶାଗୁଣାଙ୍କ ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଇଥିବା ବେଳେ ଅନେକ ଜୀବଙ୍କୁ ମଧ୍ୟ ଦେଖିବାକୁ ମିଳୁନାହିଁ । କିଛି ପ୍ରଜାତିର ଶାଗୁଣାଙ୍କ ହାର ୯୯.୯ ପ୍ରତିଶତ ପର୍ଯ୍ୟନ୍ତ କମିଥିବା ଜଣାପଡ଼ିଛି । ତେବେ ଯନ୍ତ୍ରଣା ନିବାରକ ଔଷଧ ଡାଇକ୍ଲୋଫେନାକ ଶାଗୁଣାଙ୍କ ପାଇଁ ବିପଦ ସାଜିଥିବା କୁହାଯାଉଛି । ପଶୁଙ୍କ ଯନ୍ତ୍ରଣା ଉପଶମ ପାଇଁ ଏହି ମେଡିସିନ ଦିଆଯାଇଥିବା ବେଳେ ମୃତ ଜୀବଙ୍କ ଖାଇ ଅନେକ ଶାଗୁଣା ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.