fbpx

ଆପଣଙ୍କ ରିପୋର୍ଟକୁ ଆମେ ରାତି ୧ଟା ଯାଏଁ ଅପେକ୍ଷା କଲୁ, ଲକ୍ଷ୍ମୀପୁର ଖେରୀ ମାମଲାରେ ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ବୁଧବାର ସୁପ୍ରିମକୋର୍ଟ ପୁଣି ଥରେ ଯୋଗୀ ସରକାରଙ୍କୁ ତାଗିଦ୍ କରିଛନ୍ତି । ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କେସ୍ ଲଢୁଥିବା ହରିଶ ସାଲଭେଙ୍କୁ ଷ୍ଟାଟସ୍ ରିପୋର୍ଟ ନେଇ ଅନେକ ପ୍ରଶ୍ନ କରିଛନ୍ତି । ସାଲଭେ ଆଜି ଜଉମୁଦ ଲଫାପାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି । ଏହା ଉପରେ ପ୍ରଧାନ ବିଚାରପତି ଯୋଗୀ ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି, ରିପୋର୍ଟ ଗୋଟିଏ ଦିନ ପୂର୍ବରୁ କୋର୍ଟରେ ଜମା ହେବାର ଥିଲା । ୟୁପି ସରକାର ମାମଲାର ଶୁଣାଣି ଘୁଞ୍ଚାଇବାକୁ ଅପିଲ୍ କରିଥିଲେ, ହେଲେ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ।

ବୁଧବାର ଶୁଣାଣି ସମୟରେ ଉଚ୍ଚ ନ୍ୟାୟାଳୟ କହିଛନ୍ତି, କୋର୍ଟ ଗତକାଲି ବିଳମ୍ବିତ ରାତି ୧ଟା ପର୍ଯ୍ୟନ୍ତ ଷ୍ଟାଟସ୍ ରିପୋର୍ଟକୁ ଅପେକ୍ଷା କରିଥିଲେ । ମାତ୍ର ଏମିତି ହୋଇନଥିଲା । ଆଜି ଯାଇ ହିଁ ଆମକୁ ରିପୋର୍ଟ ମିଳୁଛି । ଏତେ ବିଳମ୍ବରେ ରିପୋର୍ଟ ଦେଲେ ଆମେ ଏହାକୁ କେମିତି ପଢିବୁ ? ଅତି କମରେ ଗୋଟିଏ ଦିନ ପୂର୍ବରୁ ରିପୋର୍ଟ ଦାଖଲ କରିବାର ଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ୟୁପି ସରକାର ଏ ପର୍ଯ୍ୟନ୍ତ ଏହି ମାମଲାରେ ଅନ୍ୟ ଲୋକଙ୍କୁ କାହିଁକି ପଚରା ଉଚୁରା କରି ନାହିଁ । ଆପଣ ଏ ପର୍ଯ୍ୟନ୍ତ ୧୬୪ ମଧ୍ୟରୁ ୪୪ ସାକ୍ଷୀଙ୍କୁ ପଚରା ଉଚୁରା କରିଛନ୍ତି ଏବଂ ବାକି ଲୋକଙ୍କୁ କଣ ପାଇଁ କରି ନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏହା ଉପରେ ହରିଶ ସାଲଭେ କହିଛନ୍ତି, ଏହା ଉପରେ ପ୍ରକ୍ରିୟା ଜାରି ରହିଛି ଏବଂ ସମସ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସରିଛି ।

ଗତ ଅକ୍ଟୋବର ୩ ତାରିଖରେ ଲକ୍ଷ୍ମୀପୁର ଖେରୀରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିଲା । ଏହି ଘଟଣାରେ ଚାରି ଜଣ କୃଷକଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଉତ୍ତେଜିକ ଲୋକେ ଗାଡରେ ଥିବା ଚାରି ଜଣ ଲୋକଙ୍କୁ ପିଟି ପିଟି ହତ୍ୟା କରିଥିଲେ । ମାମଲାରେ ମୋଟ୍ ଆଠ ଜଣଙ୍କ ପ୍ରାଣହାନୀ ଘଟିଥିଲା । କୃଷକ ସଂଗଠନ ଅଭିଯୋଗ କରିଥିଲେ ଯେ, ଯେଉଁ ଗାଡି କୃଷକଙ୍କ ଉପରେ ଚଢିଥିଲା, ସେଥିର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଥିଲେ । ଏହି ମାମଲାରେ ଆଶିଷ ମିଶ୍ରଙ୍କ ଗିରଫଦାରୀ ହୋଇ ସାରିଛି ।

Get real time updates directly on you device, subscribe now.