fbpx

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗିରହିଛି ବର୍ଷା; ଅତିପ୍ରବଳ ବର୍ଷା ହେବା ନେଇ ୧୨ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଫଳରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ବୌଦ୍ଧ, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅନ୍ୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଏହି ଲଘୁଚାପ ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡ଼ିଶା-ଦକ୍ଷିଣ ଝାଡ଼ଖଣ୍ଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବାରୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଗୁରୁବାର ମଧ୍ୟ ଅନେକ ଜିଲ୍ଲାରେ ସମାନ ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.